ଆକାଶ
ଆକାଶ
ନୀଳ ଅକାଶର ନୀଳିମାକୁ ଭେଦି
କହୁଥାଏ ମନ କଥା,
ଅନନ୍ତ ବିସ୍ତୃତ ବିଜନ ବେଳାରେ
ହଜିଯାଏ କେତେ ବ୍ୟଥା |୧|
ତୋହରି ବୁକୁରେ ହଜିଯାଏ ମୋର
ଭାବନାର ବତିଘର,
ଯେତେ ଖୋଜିଲେ ବି ମିଳେନା ତା ବାଟ
ସବୁ ଲାଗେ ଖାଲି ପର |୨|
ବିଶାଳ ଆକାଶ କରଇ ପ୍ରକାଶ
ହୃଦୟ ତଳର ଭାଷା,
କାନ ବୁଝେନାହିଁ ମନ ବୁଝେ ସିନା
ଭାବନାର ପରିଭାଷା |୩|
ପକ୍ଷୀ ଯାଏ ଉଡ଼ି ଦୂର ଆକାଶରେ
ମାପିବାକୁ ତା ଶୂନ୍ୟତା,
ଶୂନ୍ୟତା ଦୂରେଇ ଯାଏ ଦୂରୁ ଦୂର
ମିଳଇ ଖାଲି ଶୂନ୍ଯତା |୪|
ତଥାପି କାହିଁକି ମନପକ୍ଷୀ ଉଡ଼େ
ଆକାଶର ଶୂନ୍ଯତାରେ,
ହିସାବ ନିକାଶ ଖାତା କଲମରେ
ଶୂନ ମିଳେ ହିସାବରେ |୫|
ସୂରୁଯ ଚନ୍ଦ୍ରମା ଆକାଶର ପଥେ
ନିତି ଦିନ ଚଳମାନ,
ମିଞ୍ଜି ଆଲୋକରେ ନିଜକୁ ଦେଖାନ୍ତି
ବିଭୂଷିତ ତାରାଗଣ |୬|
ଏ ବିଶ୍ବ ବ୍ରହ୍ମାଣ୍ଡ ଆକାଶ ବକ୍ଷରେ
ଟିକିଏ ଧୂଳିର ସମ,
ତଥାପି କାହିଁକି ମଣିଷ କରଇ
ବୃଥା ମାନ ଅଭିମାନ |୭|
ଯେତେ ଦୂରେ ଗଲେ ଅନନ୍ତ ଆକାଶ
ଖୋଲିଦିଏ ତା ହୃଦୟ,
ମଣିଷ ଜାତିକୁ କରଇ ଆହ୍ବାନ
ଜୀବନ ଅମୃତମୟ |୮|
କହରେ ଆକାଶ ତୋର ମନ ଭାଷା
କରିଦେରେ ମଧୁମୟ,
ଧରଣୀ ବୁକୁରେ ବୁଝିବେ ମଣିଷ
ସାଧନାର ପରିଚୟ |୯|
ମଣିଷ ବୁଝେନା ତୁମେତ ବୁଝିଛ
ବିଶାଳ ଧରଣୀ କଥା,
ରହିଛ ଅନାଇ ସାଗର ନୀଳିମା
ମଣିଷ ମନର ବ୍ୟଥା |୧୦|