ଉକୁଣି
ଉକୁଣି
ଆଈର ମୁଣ୍ଡରେ ଗୌଣିଏ ଉକୁଣୀ
ଅଜା ମାରୁଥିଲା ବସି,
ଚାଳର ଉପରୁ ପାତି ମାଙ୍କଡ଼ଟା
ଆଈ ଦେହେ ଗଲା ଖସି ।
ଅଜାବୁଢ଼ା ଗଲା ଚୁଲି ମୁଣ୍ତଟାକୁ
ଡରେ ହେଲା ଥରହର,
ଆଈ ମନ ଖୁସି ପାତି ମାଙ୍କଡ଼ର
ଉକୁଣୀ ମାରିବା ଖର ।
ଗୋଟି ଗୋଟି କରି ଉକୁଣୀ ମାରିଲା
ଆଈକୁ ଲାଗିଲା ଭଲ,
ଡରେ ଅଜାବୁଢ଼ା ରୋଷେଇ ଘରରେ
ହେଉଥିଲା କଲବଲ ।
ମାଙ୍କଡ଼ କି ଛାଡ଼େ ଉକୁଣୀର ସ୍ବାଦ
ସତେ କି ଛେନା ଲହୁଣି,
ଚହ୍ଲାପାଣି ଭାବି ରୋଷେଇ ଘରରେ
ଅଜା ପିଏ ବାସି ତୋରାଣି ।
ଆଈର ପାକଲା ଚୁଟିରେ ଉକୁଣୀ
କଳା ଜନ୍ଦା ଭଳି ଦିଶେ ,
ପାତି ମାଙ୍କଡ଼ର ଲମ୍ବା ଆଙ୍ଗୁଠିରେ
ଗୋଟି ଗୋଟି କରି ମିଶେ ।
ଅଧ ଚାଉଧାଏ ଉକୁଣୀ ମାରି କି
ମାଙ୍କଡ଼ ପଡ଼ିଲା ଥକି,
ଥାଉ ଥାଉ ଆଈ ବାକି ଉକୁଣୀଙ୍କୁ
ଆସିବି ପରା କାଲିକି ।
ଅଜା ଉଣ୍ଡୁଥିଲା କବାଟ କୋଣରୁ
ମାଙ୍କଡ଼ଟା ଗଲା ଚାଲି,
ହଇଲୋ ପାଗେଳି ଟିଆ ଦେଇଦେଲୁ
କାଲିକି ଆସିବୁ ବୋଲି ।
ମୋ ଠାରୁ ଭଲ ପାତି ମାଙ୍କଡ଼ଟା
ମାରୁଥିଲା ଉକୁଣୀଙ୍କୁ
କେଡ଼େ ଗେହ୍ଲେଇରେ କୋଳରେ ବସାଇ
ମୁହିଁ ମାରେ ଉକୁଣୀଙ୍କୁ।
ଯାଆ ପୋଡ଼ାମୁହିଁ ମାଙ୍କଡ଼ ପାଖକୁ
ଉକୁଣୀ ମାରିବ ସବୁ ,
ବୁଢ଼ା କଥା ଶୁଣି ନାତି ନାତୁଣୀଏ
ହୋଇଗଲେ ହାବୁଯାବୁ ।
ଉକୁଣୀ ମରାକୁ କଳି କିଆଁ ଏତେ
ମୁଣ୍ଡର ଉକୁଣୀ ଯାଉ ,
ତୁମେ ମାର ଅବା ମାଙ୍କଡ଼ଟା ମାରୁ
ମୁଣ୍ଡ ସଫା କଥା ହେଉ ।
