ଚାରିକାନ୍ଥ
ଚାରିକାନ୍ଥ
ଚାରିକାନ୍ଥ ମେଲା ଦୁଃଖ କାହିଁ ଭଲା
ନିୟତିର ଏହି ଖେଳ,
ସିଏ ଆଗବାଲା ମୁଁ ଯେ ପଛବାଲା
ଚାଲିଅଛି ନୂଆ ଖେଳ |୧|
ସିଏ ତ ହଳିଆ ମୁହିଁ ତାର ହଳ
ତା ହାତେ ପାଞ୍ଚଣ ବାଡ଼ି,
ଯେଣେ ଅଡ଼ାଇବ ମୁହିଁ ତ ଚାଲିବି
ସଂସାର ଦଉଡ଼ି ଛାଡ଼ି |୨|
ଯେବେ ଦିଏ ବାନ୍ଧି ହେଉଥାଏ ଧନ୍ଦି
ସଂସାରର ମୋହମାୟା,
ସେ ରଜ୍ଜୁ ଛିଣ୍ଡାଇ ପାରେ ନାହିଁ ଯାଇ
କୃପା ହେଉ ତାର ଦୟା |୩|
ତାର କୃପା ହେଲେ ଲୋଡ଼ା ନାହିଁ ମୋର
ଚାରିକାନ୍ଥ ଚାରିଦ୍ବାର,
ତୋ ବଡ଼ ଉଆସ ହେବ ନାହିଁ ବାସ
ହେବନି ବୈକୁଣ୍ଠପୁର |୪|
ସାରା ଭୁବନର ଚାରିକାନ୍ଥ ପରା
ସରଗ ଯାହାର ଛାତ,
ଝାଟିମାଟି ଘେରା ଚାରିକାନ୍ଥ ଘର
କିବା ଲୋଡ଼ା ପାରିଜାତ |୫|
ଥିଲା ଚାରିକାନ୍ଥ ଥିଲି ମୁଁ ପଥିକ
ହେଲି ଯେବେ ପଥହରା,
ମୋ ନୂଆ ଠିକଣା ବଡ଼ଦାଣ୍ଡ ଜଣା
ହୋଇଗଲି ଜଗା ପାରା |୬|
ଜଗା ନାମ ଜପି ହେବି ପରା ତପି
ବଡ଼ଦେଉଳ କାନ୍ଥରେ,
ମହାପ୍ରସାଦକୁ ତୋ କାଞ୍ଜି ତୋରାଣୀ
ମିଳୁଥାଉ ଥରେ ଥରେ |୭|
ଜୟ ଜଗନ୍ନାଥ ଭକ୍ତ ଡାକୁଥିବେ
ଉପରକୁ ଟେକି ହାତ,
ତାଙ୍କ ସାଥେ ମୁହିଁ ନାମ ଡାକୁଥିବି
ହାତରେ ମିଶାଇ ହାତ |୮|
ତୋ ସିଂହଦୁଆର ଖୋଲା ହୋଇଥାଉ
ଦେଖୁଥିବି ଜଗା ମୁହଁ,
ଶରଧାବାଲିରେ ଚାହିଁ ରହିଥିବି
ଜଗା ବାସ୍ନା ମହ ମହ |୯|
ଦୁଃଖ ଯିବି ଭୁଲି ତୋ ଦାଣ୍ଡରେ ଚାଲି
ତୋର ଚାରିକାନ୍ଥ ଦେଖି,
ତୋ କଳପ ବଟ ହେଉ ଶେଷ ବାଟ
ବଡ଼ଦାଣ୍ଡ ଥାଉ ସାକ୍ଷୀ |୧୦|