Tikeshwar Sahu

Inspirational

4  

Tikeshwar Sahu

Inspirational

ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ

2 mins
8


ଭାବମୟ ଶ୍ରୀଜଗନ୍ନାଥ ଜଗତ ଠାକୁର ଶ୍ରୀକ୍ଷେତ୍ରେ | ନିତି ପ୍ରତି ତାଙ୍କ ଚରଣ ତଳେ କୋଟି ଦଣ୍ଡବତ | ସେଦିନ ସୌଭାଗ୍ଯ ଥିଲା ଯେ ପୁରୀ ବଡ଼ଦାଣ୍ଡକୁ ପହଞ୍ଚିଲା ବେଳେ ମନରେ ଜଗନ୍ନାଥଙ୍କ ଅଦୃଶ୍ୟ ଚରଣ ତଳେ ସ୍ବତଃ ମୁଣ୍ଡ ନଇଁଗଲା | ସବୁବେଳେ ହୄଦୟ କନ୍ଦରରେ ଅବସ୍ଥାନ କରିଥାନ୍ତି ସେହି କାଳିଆ ଠାକୁର | ଭକତଙ୍କ ଗହଣରେ ପାଦ ସ୍ବତଃ ଆଗେଇଗଲା | ଆଖିରେ ଝଲସି ଉଠୁଥିଲା ନୀଳଚକ୍ରର ନାଲିଆ,ପୀତ ରଙ୍ଗ ଲମ୍ବା ନେତ | ବଡ଼ଦାଣ୍ଡ ଧୂଳି ପାଦରେ ବୋଳି ହେଉଥାଏ | ହାତ ଛୁଇଁ ଶରଧା ବାଲି ମୁଣ୍ତରେ ଲଗାଇଲି | ଦେଖୁ ଦେଖୁ ସିଂହଦୁଆର ପାଖରେ ପହଞ୍ଚିଗଲି | ପାଦ ଧୋଇ ଆଗକୁ ବଢ଼ିଲି |ସିଂହଦୁଆରରେ ମୁଣ୍ଡ ଲଗାଇ ପ୍ରଣିପାତ ଜଣାଇଲି | ବାଇଶି ପାହାଚ ଚଢ଼ିଲା ବେଳେ ବାଇଶି ଥର ପ୍ରଣାମ ଜଣାଉଥିଲି | ବାଇଶି ପ୍ରସ୍ତର ଛୁଇଁ ମଥାରେ ଲଗାଉଥିଲି | 

   ମନରେ ଆଉ କିଛି ନଥାଏ | କେବଳ ଜଗନ୍ନାଥ ହିଁ ଜଗନ୍ନାଥ | ଅରୁଣ ସ୍ତମ୍ଭ କାହିଁ କେତେ ପଛରେ ରହିଯାଇଥିଲା | ପାହାଚ ପରେ ପାହାଚ ଦେଇ ଆଗକୁ ଯାଉଥିଲି | ଡାହାଣକୁ ଆନନ୍ଦ ବଜାର ଦୃଶ୍ୟମାନ ହେଉଥାଏ | କାଶି ବିଶ୍ବନାଥଙ୍କ ଦର୍ଶନ ପରେ କଳ୍ପବଟ ପାଖରେ ବଟ ଗଣେଶଙ୍କୁ ଦର୍ଶନ କଲି | ବିମଳା ମାଆଙ୍କ ପାଖରେ ମୁଣ୍ଡିଆ ମାରି କିଛି ସମୟ ବସିପଡ଼ିଲି | ଆଗକୁ ଆଗକୁ ଦେବ ଦର୍ଶନ କଲି | ଲକ୍ଷ୍ମୀ ମନ୍ଦିରରେ ମାଆଙ୍କ ଦର୍ଶନ କରି ନାଟ ମଣ୍ଡପରେ ବସିପଡ଼ିଲି | ତାପରେ ନବଗ୍ରହଙ୍କୁ ଦୀପ ଜାଳି ମୁଣ୍ଡିଆ ମାରିଲି | ଆଗକୁ ଯାଇ ନୀଳଚକ୍ର ନେତ ଅନାଇଲି | ମନୋକାମନା ଜଣାଇଲି | ପାହାଚ ଦେଇ ଭକତଙ୍କ ଗହଣରେ ଧାଡ଼ିବାନ୍ଧିଲି | ମୁଁ ଜାଣି ନଥିଲି ଯେ ଆଜି ସାହାଣମେଲା | ଡାହାଣ ପଟ ଦେଇ ମାଡ଼ିଚାଲିଲି | ଚନ୍ଦନ ଅର୍ଗଳି ପାଖରେ ମୋ ଅଭିଳସିତ ଶ୍ରୀଜଗନ୍ନାଥଙ୍କ ସହ ଆଖି ମିଳେଇଲି | ଆନନ୍ଦାଶ୍ରୁ ଆଖିରୁ ଲମ୍ବିଆସିଲା | ନେଇଥିବା ଭୋଗ ପ୍ରଭୁଙ୍କୁ ଅର୍ପଣ କଲି | ଦୀପ ଉପରେ ହାତ ଲଗାଇ ମୁଣ୍ଡରେ ଲଗାଇଲି | ତୁଳସୀ ଭୋଗ ପାଇଲି | ରତ୍ନବେଦୀ ଉପରେ ଆହାକି ସୁନ୍ଦର ଚତୁର୍ଦ୍ଧାମୂର୍ତ୍ତି | ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରିକା ଓ ସୁଦର୍ଶନଙ୍କ ଅପରୂପ ସୌନ୍ଦର୍ଯ୍ଯରେ ଅଭିଭୂତ ହେଉ ହେଉ ମନୋସ୍କାମନା ଜଣାଉଥିଲି | ଆଗରୁ ଗରୁଡ଼ ସ୍ତମ୍ଭ ପାଖରେ ବଡ଼ଭାଇ ବଳଭଦ୍ରଙ୍କ ପାଖରେ ମୋର ସବୁ ଦୁଃଖ ଜଣାଇ ସାରିଥିଲି | ଭକତ ଭିଡ଼ରେ ଆଗକୁ ଆଗକୁ ଠେଲି ହେଉଥିଲି |  

   ପାହାଚ ଓହ୍ଲାଇ ଯାଉ ଯାଉ ଟଙ୍କ ତୋରାଣୀ ପାଇଲି | ପୁଣି ଇଚ୍ଛା ହେଲା ମନ୍ଦିର ପରିକ୍ରମା କଲି | ଆନନ୍ଦ ବଜାରରେ ମହାପ୍ରସାଦ ଖାଇଲି | କିଛି ସମୟ ଆନନ୍ଦ ବଜାରରେ ବସିପଡ଼ିଲି | ଆଖି ବନ୍ଦକଲି | ଯେଉଁଆଡ଼େ ଦେଖେ ସବୁଆଡ଼େ ଶ୍ରୀଜଗନ୍ନାଥମୟ | ଏ ଜଗତର ପ୍ରତିଟି ବୃକ୍ଷ,ଲତା,ଜୀବ,ଜନ୍ତୁ , ସମସ୍ତ ଜଗତର ଧୂଳି କଣାରେ ମଧ୍ୟ ଶ୍ରୀଜଗନ୍ନାଥ ଦୃଶ୍ୟମାନ ହେଲେ | ଏ ଜୀବନ ଧନ୍ୟ ହୋଇଗଲା ଶ୍ରୀଜଗନ୍ନାଥଙ୍କ ଭାବକୁ ହୃଦୟରେ ଧରି | ମନ ଗାଇ ବୁଲୁଥିଲା ଜଗନ୍ନାଥଙ୍କ ଭଜନ ଜଣାଣ | ପ୍ରଭୁଙ୍କ ପାଦତଳେ ଏହି ମନ ଲାଗିରହିଥାଉ | ତାହାରି ଗଳାରେ ଶୋଭା ପାଉଥାଉ ତୁଳସୀ ଦୟଣାମାଳ | ପ୍ରଭୁ କାଳିଆ ଠାକୁର,କାଳିଆ ସାଆନ୍ତ ,ତୋରି ନାମାବଳୀ ଗାଇ ଗାଇ ଏ ଜୀବନ ରଥ ଚାଲୁଥାଉ | ଜୟ ଜଗନ୍ନାଥ |

ଶ୍ରୀ ଟିକେଶ୍ବର ସାହୁ ,

ଅବସରପ୍ରାପ୍ତ ରାଜ୍ଯ କୃତୀ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକ, ନଳବଂଧ,ଦେବଗଡ଼ | ମୋ‐୯୯୩୮୫୭୦୯୯୧ |


Rate this content
Log in

Similar oriya poem from Inspirational