ମଣିଷପଣିଆ
ମଣିଷପଣିଆ
ଆଜିର ଏହି ପ୍ରଗତି ବେଳ କାଳେ ଏଇ ଦୁନିଆରେ
ସଭିଏଁ ନିଜ ଜୀବନକୁ ନେଇ ବ୍ୟସ୍ତ
ସମୟର ଖେଳ ବୁଝି ହୁଏ ନାହିଁ ବ୍ୟସ୍ତତା ଭିତରେ
କେବେ ହୁଏ କାହା ଜୀବନର ସୂର୍ଯ୍ୟ ଅସ୍ତ |
କିଏ ଚାପି ଧରେ ବୁକୁରେ କୋହ କାହାର ବୁହଇ ଲୁହ
ତଥାପି ବଞ୍ଚିବାର କିଛି ଆଶା ନେଇ
ଚାଲନ୍ତି କର୍ମ ପଥରେ ସ୍ୱପ୍ନର ସୁନ୍ଦର ଆଲୋକ ଦେଖି
କିଛି ଜୀବନରେ କରି ସୁଖୀ ହେବାପାଇଁ |
ଚାଲୁ ଚାଲୁ ପଥେ ଭେଟ ହୁଏ ଯେବେ କେହି
ହାତ ପସାରି ସାହାରା ପାଇବା ପାଇଁ
ଆନ୍ଦୋଳିତ ହୁଏ ହୃଦୟ ଦେଖି ସେହି ଅସହାୟ ପ୍ରାଣୀକୁ
ସାହାଯ୍ୟର ହାତ ବଢାଏ ମାନବିକତା ପାଇଁ |
ବେଳେ ବେଳେ ଯଦି ସ୍ୱାର୍ଥ ମାଡି ବସେ ମଣିଷକୁ
ବଶୀଭୂତ କରି ନଚାଏ କରେ ସ୍ୱାର୍ଥପର
ହୃଦୟର ବେଦନା ଦବିଯାଏ ତେବେ ସ୍ୱାର୍ଥର ଭାବ ତଳେ
ମାନବିକତା ହଜିଯାଏ କରେ ଆପଣା ପର |
ହୋଇଯାଏ ସିଏ ବିବେକହୀନ ଲାଗେ ସ୍ଥାଣୁ ଏକ ପଥର
ଚାଲୁଥାଏ ସିନା ମାୟାକୁ ସାଙ୍ଗରେ ଧରି
ହୃଦୟ ପଚାରେ ଜୀବନର କଣ କିଛି ମୂଲ୍ୟ ନାହିଁ
ସ୍ୱାର୍ଥପର ହୋଇ ଦେଇଛୁ ମଣିଷପଣିଆ ଛାଡି ?
ମଣିଷପଣିଆ ଛାଡିଲେ କେତେ ଦୂର ଯିବୁ ଜୀବନ ଯାତ୍ରାରେ
କେମିତି କହିବୁ ତୋର ଜୀବନ କାହାଣୀ ?
ଯେବେ ଲିଭିଯିବ ତୋର ଏହି ଜୀବନର ମହା ଦୀପ
ସବୁ ଭୁଲିଯିବେ ଦିନ ଗଣି ଗଣି |
ସମୟକୁ ଯେବେ ଦୋଷ ଦେବୁ କରିବାକୁ ଦେଲା ନାହିଁ
ବେଗି ବେଗି ଖାଲି ଗଡି ଚାଲିଲା
ମିଠା ମିଠା ସ୍ୱପ୍ନ ଦେଖାଇ ମୋହ ମାୟାରେ ବାନ୍ଧି
ଏହି ମଣିଷପଣିଆ କଥା ଭୁଲାଇ ଦେଲା |
ସମୟ କହିବ ମୋର ଦୋଷ ନାହିଁ ଭାବି କରି ଦେଖ
ଆଖି ଥାଇ ଯେବେ ଅନ୍ଧ ହୋଇଲୁ
ମଣିଷପଣିଆ ଭୁଲି ତୁହି ସ୍ୱାର୍ଥକୁ ଯେବେ ଆଦରି ନେଲୁ
ସେଥିପାଇଁ ଏବେ ଏହି ଦଶା ଭୋଗିଲୁ |
ତେଣୁ ଯେବେ ଏବେ ତୁହି ସ୍ୱାର୍ଥକୁ ତ୍ୟାଗୀ ଭାବିବୁ
ତୋର ମଣିଷପଣିଆ ତାର କାମ କରିଯିବ
ଏହି ଦୁନିଆରେ ଆସି ଯେତେ ଦିନ ରହି ବଞ୍ଚିବୁ
ତୋର ଉଦାରତା ତୋତେ ଅମର କରିବ |
