ବାକି ଜୀବନ
ବାକି ଜୀବନ
ମଧୁର ଜୀବନ ମଧୁର ସପନ
ମଧୁର କାକଳିଭରା,
ମଧୁମୟ ଏହି ଅସାର ସଂସାର
ଜଞ୍ଜାଳ ଜଳଦ ଭରା |୧|
ସୁଖ ଦୁଃଖ ଦୁଇ ସଂସାରର ଫଳ
ଲାଗଇ ବଡ଼ ରସାଳ,
ସୁଖ ଫଳ ଭୁଞ୍ଜି ବାକି ଜୀବନଟା
ଲଙ୍ଘିଥାଏ ଦୁଇ କୂଳ |୨|
ଯେମିତି ଚିନ୍ତିବ ସେମିତି ମିଳିବ
ସଂସାରର ମହା ଫଳ,
ପାପ ମନ ଲଭେ ବିଷ ଫଳ ସିନା
ପୁଣ୍ୟମନ ପୁଣ୍ୟ ଫଳ |୩|
ନୁହେଁ କିଛି ଏଠି ବିଷର ଭଣ୍ଡାର
ସବୁ ଅଟଇ ଅମୃତ,
ବିଷକୁ ଅମୃତ କରି ପାରିବ ତ
ବଚନାମୃତ ସଙ୍ଗତ |୪|
ବାକି ଜୀବନକୁ ସଙ୍ଗ କରିବାକୁ
ଲୋଡ଼ା ଅମୃତ ବଚନ,
ଅମୃତ ବଚନ ଭର ପ୍ରାଣଧନ
ସୁଖରୂପି ମହାଧନ |୫|
ବାକି ଜୀବନର ଭରଣ ପୋଷଣ
ସଞ୍ଚିଥିବ ସତ୍ଯବାଣୀ,
ସତ୍ଯରେ ସଂସାର ସଂସାରରେ ସତ୍ଯ
ବହୁଥାଏ ନିତ୍ଯ ଜାଣି |୬|
ବୈକୁଣ୍ଠର ପୁର ଅମୃତର ଝର
ବହେ ଶତଧାର ହୋଇ,
ସେ ଅମୃତ ପାନ ଭରିଯାଉ ମନ
ସଂସାର ଅମୃତ କରି |୭|
ଜୀବନ ହୋଇବ ସରଳ ସାର୍ଥକ
ଅମୃତର ମହାଦାନେ,
ସରଳ ଜୀବନ ଲଭେ ମହାପୁଣ୍ୟ
ପୂର୍ଣ୍ଣ ହୁଏ ମହାପୁଣ୍ୟେ |୮|
ଯାହା ହୁଏ ପୁଣି ଚକ୍ଷୁର ଗୋଚର
ସର୍ବମୟ ନିଷ୍ଠା ସତ୍ଯ,
ସତ୍ଯରେ ଚାଲଇ ସତ୍ଯରେ ଚଳଇ
ହୋଇଯାଏ ମହାସତ୍ଯ |୯|
ବାକି ଜୀବନରେ ସତ୍ଯପଥେ ଚାଲ
ଲଭିବ ସତ୍ଯ ଆଲୋକ,
ସତ୍ଯପଥ ହେବ ଜୀବନର ପଥ
ପଛେ ଥିବେ କୋଟି ଲୋକ |୧୦|
