ଶୂନ୍ ଶାନ୍ ରାସ୍ତାର ଝିଅଟି
ଶୂନ୍ ଶାନ୍ ରାସ୍ତାର ଝିଅଟି
ଶୀର୍ଷକ: -" ଶୂନ୍ ଶାନ୍ ରାସ୍ତାର ଝିଅଟି "
🌞🌞🌞🌞🌞🌞🌞🌞🌞🌞🌞
ଶୂନ୍ ଶାନ୍ ରାସ୍ତାରେ ଝିଅଟିଏ ଚାଲିଛି
ତାର ଚାଲି, ତାର ଶରୀରର ଭାଷା
ସତେ ଯେମିତି
ଅନେକ କିଛି
କହି ଯାଉଛି
ରାସ୍ତାର ଦୁଇ କଡ଼ରେ
ସତେ ଯେମିତି
ବେଦନାର ଝୋଟି ପକାଇ ଚାଲିଛି
ହେଲେ କାହିଁକି ?
ଉପରୁ ଶକ୍ତ ଦେଖା ଯାଉଥିବା ଝିଅଟି
ଚାଲୁଛି-
ଚାଲୁଛି ସତେ ଯେମିତି
ଦିଶାହୀନ ପଥରେ
ପଥପ୍ରାନ୍ତ ଲାଇଟ୍ ପୋଷ୍ଟ ମାନେ
ସତେ ଯେମିତି ତାକୁ
ଖତେଇ ହେଉଛନ୍ତି ।
ଶୂନ୍ ଶାନ୍ ରାସ୍ତାରେ ଝିଅଟି ଚାଲିଛି
ସତେ ଯେମିତି
ଗଣ୍ଠିଲିଏ ଅଡୁଆ ତଡ଼ୁଆ
ସୂତାକୁ
ନେଇ ଚାଲିଛି
ଦେଖିଲେ ଲାଗୁଛି
ସତେ ଯେମିତି
ଠିକଣା ବିହୀନ ରାସ୍ତାର
ଜଣେ କ୍ଷତାକ୍ତ ପଥିକ ।
ଶୂନ୍ ଶାନ୍ ରାସ୍ତାରେ ଝିଅଟି ଚାଲିଛି
ଦେଖିଲେ ଲାଗୁଛି
ଅସମାଧିତ ପ୍ରଶ୍ନର ପୋଟଳୀରେ
ଉତ୍ତର ଖୋଜୁଛି
ହଁ
ଉତ୍ତର ଖୋଜୁଛି
ପ୍ରେମ ଆଉ ପ୍ରତାରଣା
ଦୁଇଟି ସମାନ୍ତରାଳ ରେଖା
ଏକ ହୋଇଗଲା କେମିତି ?
ଶୂନ୍ ଶାନ୍ ରାସ୍ତାରେ ଝିଅଟି ଚାଲୁଛି
ଲାଗୁଛି
ସତେ ଯେମିତି
ଭୂଲ ଠିକ୍ ର ଅନାବନା ଚୌହଦୀରେ
ନିଜକୁ ଦରାଣ୍ଡୁଛି
ଆଉ
ନିଜ ପାଖେ ନିଜର
ଉତ୍ତର ରଖୁଛି
କିନ୍ତୁ
ଉତ୍ତର ଗୁଡ଼ାକ
ସତେ ଯେମିତି ବାରମ୍ବାର
ତାକୁ ପ୍ରଶ୍ନ ଭିତରକୁ
ଟାଣି ନେଉଛନ୍ତି ।
ଶୂନ୍ ଶାନ୍ ରାସ୍ତାରେ ଝିଅଟି ଚାଲୁଛି
ହଠାତ୍ ପଛକୁ ଫେରି ଚାହିଁ ଦେଖେ ତ
ପ୍ରଶ୍ନର ଉତ୍ତର ମାନେ
ତା ଆଖି ଆଇନାରେ
ନୃତ୍ୟ କରୁଛନ୍ତି
ଆଉ
କହୁଛନ୍ତି
ବାପା ମାଆଙ୍କୁ
ଅନେଇ ଦେଖ୍
ବୁଝିଯିବୁ ସବୁ ।
ଆଉ,
ଶୂନ୍ଶାନ୍ ରାସ୍ତାରେ ଚାଲୁଥିବା ଝିଅଟି
ବଡ଼ ପାଟିରେ କହି ଚାଲିଛି
ହଁ ମୁଁ ଭୁଲ୍ କରିଛି
ମଣିଷ ଚିହ୍ନିବାରେ
ହଁ ମୁଁ ଭୁଲ୍ କରିଛି
ବାପା ମାଆଙ୍କୁ
ମିଛ କହି
ହଁ ମୁଁ ଭୁଲ୍ କରିଛି
ସାମୟିକ ଆକର୍ଷଣକୁ
ପ୍ରେମ ଭାବି
ହଁ ମୁଁ ଭୁଲ୍ କରିଛି
କ୍ଷଣିକ ଆବେଶତା ରେ
ଅସ୍ତିତ୍ବ ହରାଇ
ହଁ ମୁଁ ଭୁଲ୍ କରିଛି
ହଁ ମୁଁ ଭୁଲ୍ କରିଛି- ହଁ ମୁଁ ଭୁଲ୍ କରିଛି
ଏମିତି କହୁ କହୁ
ଝିଅଟି ଦେଖିଛି
ଭୋର୍ ଭୋର୍ ଫର୍ଚ୍ଚା ଆକାଶକୁ
ଆଉ, ଅନୁଭବ କରୁଛି
ଦୁଇଟି ହାତର ଅମୃତ ସ୍ପର୍ଶକୁ
ଆଉ
ଝିଅଟି
ବସି ପଡ଼ି ପାଦ ଦରାଣ୍ଡୁଛି
ଝିଅଟି ବସି ପଡି ପାଦ ଦରାଣ୍ଡୁଛି ।
