STORYMIRROR

Pratima Satpathy

Tragedy

3  

Pratima Satpathy

Tragedy

କୁମ୍ଭକର୍ଣ୍ଣ ବଧ

କୁମ୍ଭକର୍ଣ୍ଣ ବଧ

1 min
14


ରାଗ, ପୋଇ ବା ଗୌରୀ।

ନିଦ୍ରାରୁ ଉଠିଣ , ବିଶ୍ରବା ନନ୍ଦନ, ଆନନ୍ଦେ ଭୋଜନ, ଶେଷ କଲା

ଭାଇ ଦଶାନନ, ପାଶେ ପ୍ରବେଶିଣ , ବିନୟ ବଚନ, ସେ ଭାଷିଲା।

ଯୁଦ୍ଧର ବୃତ୍ତାନ୍ତ, ହୋଇ ଅବଗତ, କରି ଶିର ନତ, ଗଲା ଚଳି

ସୈନ୍ୟଙ୍କୁ ସଜାଇ, ଘୋର ରଡ଼ି ଦେଇ, ଗଲା ସେ ଆଗେଇ, ରଥ ଚାଳି।

 କାହିଁ ସେହି ନର, କାହିଁ ସେ ବାନର, ମରିବ ମୋହର, ଶରାଘାତେ

ପାଇ ବ୍ରହ୍ମାବର , କୁମ୍ଭକର୍ଣ୍ଣ ବୀର, କରିବ ସମର, ଯୁଦ୍ଧ କ୍ଷେତ୍ରେ।

ରେରେ କାର କରି, ଶବଦ ଉଚାରି, ଏକ ଏକ କରି, ବାନରଙ୍କୁ

ଗୋଡେଇ ମାରିଲା, ଘାଇଲା କରିଲା, ହନୁ ପହଞ୍ଚିଲା , ସେ କ୍ଷେତ୍ରକୁ।

ପବନ ନନ୍ଦନ, କାୟା ବିସ୍ତାରିଣ, କଲା ଘୋର ରଣ, ତା ସାଙ୍ଗରେ

ଉଠି ନିଶାଚର, ଗଦାରେ ପ୍ରହାର, କରିଲା ହନୁର, ମସ୍ତକରେ।

କାହିଁ ଗଲା ରାମ, କାହିଁ ସେ ଲକ୍ଷ୍ମଣ, କରିବେ ସଂଗ୍ରାମ ମୋ ସାଙ୍ଗରେ

ଲୁଚିଅଛ କାହିଁ, ଆସ ଦୁଇ ଭାଇ, ଡାକୁଅଛି ମୁହିଁ, ଆସ ବାରେ।

ସୁମିତ୍ରା ନନ୍ଦନ, ଧରି ଧନୁର୍ବାଣ, ପେଶିଲେ ତକ୍ଷଣ, ଦୈତ୍ୟପରେ

ଝରିଲା ରୁଧିର, ରାଗରେ ଜର୍ଜର, ହୋଇଣ ଅସୁର, ଧାଏଁ ଖରେ।

ଦେଖି ତାର ରିତି, ପ୍ରଭୁ ରଘୂପତି, ଦୁଇ ଭୁଜକାଟି, ଦେଲେ ତାର

ଘୋର ରଡ଼ି ଛାଡ଼ି, ଆସଇ ଦଉଡ଼ି, ପାଟିକୁ ବିସ୍ତାରି, ନିଶାଚର।

ପର୍ଶୁମୁନା ବାଣ, ମାରିଲେ ଶ୍ରୀରାମ, କଲେ ଦୁଇଖଣ୍ଡ, ତା ଶରୀର

ଛାଡ଼ିଲାନି ପ୍ରାଣ, ବିଶ୍ରବା ନନ୍ଦନ, ରାଜୀବ ଲୋଚନ, ହରବର।

କିପରି ମାରିବି, କି ବାଣ ପେଶିବି, ପଶୁନାହିଁ ବୁଦ୍ଧି, ମୋ ମୁଣ୍ଡରେ

ଦେଖି ବିଭୀଷଣ, କହିଲେ ତକ୍ଷଣ, ତାହାର ମରଣ, ସୂତ୍ର ବାରେ।

ଶତ୍ରୁପିଠି ଯେବେ, ଦେଖିବଟି ତେବେ, ଅଭିଶାପ ଦେବେ , ଦେଇଥିଲେ

ଶୁଣି ରଘୁରାଣ, ଘୁଞ୍ଚିଲେ ବହନ, ହୋଇଲା ମରଣ, ଅବହେଳେ।

ବିଶ୍ଵାମିତ୍ରବାଣ, ପେଶିଲେ ଶ୍ରୀରାମ, ଲଲାଟ ଦହନ, ହୋଇଗଲା।

ହାରିଲା ଜୀବନ, ବୀର କୁମ୍ଭକର୍ଣ୍ଣ, ଗଗନ ପବନ, ଶାନ୍ତ ହେଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy