ହଁ ରେ
ହଁ ରେ
ହଁ ରେ!
ଏ ସଂସାରରେ ଜୀବନ ଟାକୁ ବୁଝିବାକୁ
ଗୋଟେ ଜନ୍ମ ଜାତକର
ଆବଶ୍ୟକ ତ ପଡିଗଲା
ଆଉ ପୃଥିବୀ କୁ ବା କଣ ଜାଣିବି?
ଏଠି ଭଲପାଇବା ସୂର୍ଯ୍ୟଙ୍କ ର
ଉତ୍ତପ୍ତ ରୌଦ୍ରତାପରେ ଡହଳ ବିକଳ।
ଏଠି ପ୍ରତ୍ୟେକ ରାତ୍ରି ର ଅନ୍ଧକାରରେ
ଶୁଭେ ଲାଞ୍ଛନା ଓ ଅସହିଷ୍ଣୁତାର ଆହଟ।
ଅବଶ୍ୟମ୍ଭାବୀ ଖୁସି ର ଆଶା
ଭାସିଯାଏ ଏକ ମତୁଆଲା ବନ୍ୟାର ପ୍ଳାବନରେ।
ସ୍ବପ୍ନ ସବୁ ଝରିପଡନ୍ତି ଶେଫାଳୀ ଫୁଲ ର
ଅସହାୟ ପାଖୁଡ଼ା ଭିତରେ।
ଏଠି ପ୍ରତ୍ୟେକ ଉଷାର ଶୁଭ କାମନା
ଫିକା ପଡ଼ିଯାଏ ଗର୍ବ ଅହଙ୍କାର ର
କଳି ତକରାଳରେ।
ଫରମାଇସର ଲମ୍ବା ଫର୍ଦ୍ଦ ପଢୁ ପଢୁ
ନିଜକୁ ସାଇତିବା ପାଇଁ ଦରକାର ପଡ଼େ
ଟିକେ ଦୟା, ଟିକେ ସହାନୁଭୂତି ର
ତେଲ ଲୁଣ ଘର କରଣା।
ବୟସର ଅପରାହ୍ନ
ଅଟ୍ଟହାସ୍ୟ କରିଉଠେ
ଇଟା ବାଲି ସିମେଣ୍ଟ ର
ବଡ଼ ବଡ କାନ୍ଥର ଗହ୍ୱର ଭିତରୁ।
ଖୋଜି ଖୋଜି ନୟାନ୍ତ ଆଜି
ହଜାଇ ଥିବା ତିନୋଟି ପାହାଚ
ସେ ତ୍ରିତଳ ଛାୟା ର ଅନ୍ଧାରୀ ମୂଲକରେ।
ପଢି ତ ପାରିଲି ନାହିଁ
ମୁଁ ନିଜେ ରାନ୍ଧି ଥିବା ଭାତ ତିଅଣ
ଭିତରେ ଥିବା ପରସ୍ପରର ବିଭେଦତାକୁ।
ହାରିବାର ଜୟମାଳାକୁ ଅମୃତ ର ପିଆଲା
କରି ଅନ୍ତସ୍ଥ କରି ସାରିଲା ପରେ
ପୃଥିବୀ ର ଇତିହାସ ମନେ ରଖିବାକୁ
କାଣିଚାଏ ବି ନିଜକୁ ଯୋଗ୍ୟ ଭାବି ହେଉନି।