STORYMIRROR

DHARITRI SAHU

Inspirational

3  

DHARITRI SAHU

Inspirational

ନିର୍ଭୀକ ଅଭିଯାନ

ନିର୍ଭୀକ ଅଭିଯାନ

2 mins
14

ହଜେଇ ଦେଇଥିବା ପଦାର୍ଥ କୁ 

ମନେ ପକେଇ ଆଉ ଲାଭ ବା କ'ଣ?

କରିଥିବା କିଛି ଭୁଲ୍ ର ତ ସଂଶୋଧନ 

କରି ହୁଏନା।

ବରଂ ତାର ଦୁର୍ଗନ୍ଧ ର କୁହୁଡି ଆଛନ୍ନ କରି

ରଖିଦିଏ ଚାଲୁଥିବାର ସୁଗମ ପଥ ଗୁଡିକୁ।

ବିତି ଯାଇଥିବା ସମୟ କୁ ମନେ ପକାଇଲେ

ସେ କଣ ଆଉ ଫେରି ଆସିବ?

ସେଠି ତ କେତେ ଅନା ବନା ଗଛ ଉଠି

ଧୋ, ଧୋ ଖରାରେ ଜଳି ପୋଡି ପାଉଁଶର ଗଦା ଉପରେ କେତେ

ଅଜଣା ଅପରିଚିତ ଙ୍କ ପାଦ ଚିହ୍ନ ପଡି ପଡି

ଆକାଶ ଗଙ୍ଗା ର ଭ୍ରମ ସୃଷ୍ଟି କରି ସାରିଲାଣି।

ଆଉ ସେ ସବୁର ପର୍ଯ୍ୟାଲୋଚନା

କେବଳ ଏବେ ଏକ ସମୟର ଅପଚୟ।

ହଁ କିଛି ନିଆଁ ଗିଳିଥିବାର ପରିଣାମ

ପାଉଁଶ ବାନ୍ତି କରିବାରେ ଜଣାପଡେ ନିଶ୍ଚୟ।

ସମୟକୁ ପରଖି ନିରେଖି

ବିନିଯୋଗ କରିବା ବି ପ୍ରାରବ୍ଧର ଏକ ଆଶୀର୍ବାଦ।

ହଁ ପ୍ରାରବ୍ଧ କୁ କିଏ ବୁଝିଛି କି ନା ମୁଁ ଜାଣେନା!

କିନ୍ତୁ ମୁଁ ତାକୁ ଭଲ ଭାବରେ ଚିହ୍ନିଛି।

ମୋ ହୃଦୟ ର ପ୍ରତିଟି ଆନ୍ଦୋଳନ ରେ,

ମୋ ଶରୀରର ରଙ୍ଗ ରୂପରେ,

ମୋ ସକାଳର ଉଦିତ ସୂର୍ଯ୍ୟ ଦ୍ଵିପ୍ରହରେ 

ହଠାତ୍ ଅସ୍ତ ଯିବାରେ,

ମୋ ଭାବନାର ଆଇନା 

ହଠାତ୍ ଖଣ୍ଡ ବିଖଣ୍ଡିତ ହୋଇ ଯିବାରେ,

ମୋ ନିର୍ଦ୍ଦୋଶ ପଣିଆର ଚାବୁକ ମାଡରେ

ଫାଟି ଯାଇଥିବା ମୋ ଅବୟବରେ।

ପ୍ରାରବ୍ଧ କୁ ଏଇଠି ହାର ମନାଇବାର ଆଶା ନେଇ

ଯନ୍ତ୍ରଣା ସବୁକୁ ଅମୃତ ର ପିଆଲାରେ

 ଘୋରି ବାଟି ପିଇଦେଇ,

ସେ ପିଆଲା କୁ ଭାଙ୍ଗି 

ଫୋପାଡି ଦେଇ ଯିବାର 

ସତରେ ଏ ଏକ ମୋର ନିର୍ଭୀକ ଅଭିଯାନ।

ଆଉ ଆଶା ଅସୁମାରୀ କୁ ପାଥେୟ କରି  ଦିଗନ୍ତ କୁ ଲମ୍ଫ ପ୍ରଦାନ କରିବାର ଏକ ଦୁର୍ବାର ପ୍ରୟାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational