STORYMIRROR

DHARITRI SAHU

Classics

4  

DHARITRI SAHU

Classics

ପ୍ରଣାମ ହେ ପ୍ରଣମ୍ୟ

ପ୍ରଣାମ ହେ ପ୍ରଣମ୍ୟ

1 min
24


ରାମ ଆସୁଛନ୍ତି ରାମ ଆସୁଛନ୍ତି

ଚାରି ଆଡେ଼ ହୁରିପଡେ,

ଦିବ୍ୟ ଦୀପାବଳୀ ପାଳଇ ଭାରତ

ଚାରି ଆଡେ଼ ଦୀପ ଜଳେ।

ଅଯୋଧ୍ୟା ନଗରୀ ବଧୁବେଶେ ସାଜେ

ଭେରି ତୁରି ଶଂଖ ବାଜେ,

ସବୁରି ହୃଦୟ ପୁଲକିତ ହୁଏ

ଭକତିର ଅର୍ଘ୍ୟ ଟେକେ।

ହିମାଳୟ ଠାରୁ ଆ କନ୍ୟାକୁମାରୀ

ଭୂସ୍ବର୍ଗ ପାଲଟି ଅଛି,

ରାମ ରାଜା ଆମ ଘର ଲେଉଟିବେ

ଭୋଜି ଭାତ ଭାସୁଅଛି।

ସଭିଙ୍କ ହୃଦୟ ପୁଲକିତ ହୁଏ

ବନବାସୁ ରାଜା ଫେରେ,

ବୃକ୍ଷ ଲତା ଠାରୁ ନଦ ନଦୀ ଯାଏ

ସବୁଠି ଆନନ୍ଦ ଭରେ।

ଯାର ପଦ ରଜେ ଶିଳା ପାଲଟିଲା

ସତୀ ଏକ ତପସ୍ଵିନୀ,

ସେ ଚରଣାମୃତ କୁ ନିତ୍ୟ ପ୍ରଭାତେ

ଲଭିବ ମୋ ମାତୃଭୂମି।

ଜଗନ୍ନାଥ,ରାମ,କୃଷ୍ଣ ଙ୍କ ଦେଶ ମୋ

ଭକତି ବଞ୍ଚିବା ଉତ୍ସ,

ବିନା ଭକ୍ତି ଭାବେ ବଞ୍ଚି ଯେ ହେବନି

ମେଣ୍ଟେ ତାଙ୍କ ନାମେ ଶୋଷ।

ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହୋଇବ

 ମୋ ଘରେ ବି ରାମ ବିଜେ,

ଅନୁଭୁତ ହୁଏ ପବିତ୍ର ସୁଗନ୍ଧ

ଦୀପ ଆଲୋକିତେ ସାଜେ।

ଦୂରୁ ଥାଇ ଭକ୍ତି ପ୍ରଣତି ଢାଳୁଛି

ଘେନ ହେ ପୁରୁଷୋତ୍ତମ,

ହୃଦୟ କନ୍ଦରେ ରହିଥାଅ ସଦା

ଦେଖୁଥାଏ ପଦ୍ମାନନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics