STORYMIRROR

Satchidananda Bastia

Tragedy

3  

Satchidananda Bastia

Tragedy

କେଉଁ ଜନମ ର ତପସ୍ୟା ଏ ସତେ

କେଉଁ ଜନମ ର ତପସ୍ୟା ଏ ସତେ

1 min
183

କେଉଁ ଜନମ ର ତପସ୍ୟା ଏ ସତେ,

ପାଇଅଛି ସଖୀ ବନ୍ଧୁ ଭାବେ ତୋତେ,

ମଣୁଛି ନିଜକୁ ଧନ୍ଯ। 

ଭାବ ର ପ୍ରଦାନେ କରିଦେଲୁ ଋଣୀ, 

ହେଉଥିବି ସଦା ତୋର ଗୁଣ ଗୁଣି,

ବନ୍ଧୁତ୍ବ ତୋର ଅନନ୍ୟ।


ଜୀବନ ର ଏଇ ବନ୍ଧୁର ପଥରେ,

ଯଦି ଅନଭ୍ୟସ୍ତ ପାଦ ଥକିପଡେ, 

ସୁମରିବୁ ମୋତେ ଥରେ।

ନକରିବି ଡେରି ଆସିବି ସହସା,

ତିଆରିବି ତୃଣତଳ୍ପ ର ଗାଲିଚା,

ତୋର ଚଲାପଥ ପରେ।


ଯେବେ ତୁ ଗୋ ସଖୀ ହୋଇଯିବୁ ଏକା,

ଡାକିଦେବୁ ଥରେ ଦେଉଛି ମୁଁ କଥା,

ଆସିବି ସାଥିଟେ ହୋଇ।

ନିଃସଙ୍ଗତାପଣ ଦେବି ମୁଁ ଭୁଲାଇ,

ଦୁଃଖେ ଅବା ସୁଖେ ଛାଇଟିଏ ହୋଇ,

ପାଖେପାଖେ ଥିବି ରହି।


ଯଦି କେବେ କେଉଁ ହୃଦୟହୀନ,

ହୋଇ ନିରିଦୟ ଭାଙ୍ଗିଦିଏ ମନ,

ଦୁଃଖ ହୁଏ ଦୁର୍ବିସହ। 

ଡାକିଲେ ଆସିବି ଦେବଦୂତ ହୋଇ,

ପାରିବିନି ଯଦି ସୁଖ ଟିକେ ଦେଇ,

ତୋ ସାଥେ ଢାଳିବି ଲୁହ। 


ଅନ୍ଧକାର ଯଦି ଡରାଏ ଗୋ ତୋତେ,

ଥରୁଟିଏ ଖାଲି ଡାକିଦେବୁ ମୋତେ,

ହେବି ମୁଁ ସରଗ ଶଶୀ। 

ବିଛୁରିତ କରି ସ୍ନିଗ୍ଧ ଜ୍ୟୋତ୍ସ୍ନାଲୋକ,

ହଟାଇବି ଅମା ବିଛୁରି ପ୍ରଦ୍ୟୋତ, 

ବିଭୋରିତ କରି ନିଶି।


ଦୁଃଖ ଯଦି କେବେ ହୁଅଇ ଅଦମ୍ଯ, 

କିବା ଲାଗେ ମନ ମରୁଭୂମି ସମ,

କରିବୁନି ଅବଶୋଷ। 

ଡାକିଦେବୁ ଥରେ ଭାବିବୁନି ଆନ,

ନିଥର ଜୀବନେ ସୃଜି ମରୁଦ୍ୟାନ,

ଦିଆଇବି ଜୀବନ୍ୟାସ। 


କେବେ ଯଦି ସଖୀ ହେଉ ଦିଗହରା,

ପ୍ରାଚୀ ଦିଗନ୍ତରେ ହୋଇ କୁଆଁତାରା,

ସାଜିବି ଦିଗବାରେଣି। 

ସମସ୍ୟା ବ୍ୟୁହରେ ହେଲେ ସନ୍ତାପିତ,

ଆଣି ଆସିବି ମୁଁ ସମାଧାନ ସୂତ୍ର, 

ଏ କଥା ରଖିବୁ ଜାଣି।


ଯଦି ଏ ଜୀବନ ଲାଗେ ରଙ୍ଗହୀନ, 

ତୋ ପାଇଁ ଆଣିବି ଲକ୍ଷେ ଫଗୁଣ, 

ଡାକିଦେବୁ ଯଦି ଥରେ।

ତୋ ଓଠରେ ହସ ଫୁଟାଇବା ପାଇଁ,

ରମ୍ୟ ଉପବନେ ଫୁଲଟିଏ ହୋଇ,

ଥିବି ତୋର ପଥଧାରେ। 


ହୋଇପାରେ କେବେ ଯଦି ଯାଏ ମରି,

ତୋ ପାଶେ ତୋ ଡାକ ଆସିବ ତ ଫେରି,

ହୋଇ ଶୂନ୍ଯ ପ୍ରତିଧ୍ବନି।

ସେତେବେଳେ ସଖୀ ଆସିବୁ ଗୋ ଥରେ,

ଦୁଇଟୋପା ଲୁହ ଶବାଧାର ପରେ,

ଦେବାକୁ ଭୁଲି ଯିବୁନି।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy