STORYMIRROR

Satchidananda Bastia

Classics

4  

Satchidananda Bastia

Classics

ରହିଲା ତୋତେ ମୋ ରାଣ

ରହିଲା ତୋତେ ମୋ ରାଣ

1 min
282

ଆସିଥିଲା ଏବେ ଗଲା ଚାଲି କେବେ,

ଶିହରିଲା ନାହିଁ ଦେହ।

କଅଁଳ ଚଇତେ ନୀରବିଛି କୁଞ୍ଜ, 

ପୀକ ଶୁଖେଇଛି ମୁହଁ।

ହଳଦୀବସନ୍ତ ମନ ମାରିଅଛି , 

ରଙ୍ଗ ତା' ପଡିଛି ଫିକା।

ନିଅଣ୍ଟ ପଡ଼ିଲା ତୋ ରଙ୍ଗ ଫଗୁଣ,

କାହିଁ ଆସିଥିଲୁ ଏକା।

କାହିଁଗଲା ତୋର ନରମ ସକାଳ, 

ନାରଙ୍ଗୀ ପ୍ରାଚୀ ଚମକ।

ଆମ୍ବ ତୋଟାମାଳେ ବଉଳ ବଉଳେ, 

ନାହିଁ ତା'ର ସେ ମହକ।

ବହିଲା ମଳୟ ନାହିଁ ତ ବେପଥୁ,

ଛୁଇଁଲାନି ତନୁମନ।

ବିକଶିଲା ଫୁଲ ନାହିଁ ଆକର୍ଷଣ,

ହସିଲାନି ଉପବନ।

କହ ହେ ଫଗୁଣ କିମ୍ପାଇ ବିଷର୍ଣ୍ଣ, 

ମଉଳିଛି ରଙ୍ଗବିଭା।

ଫିକା ଏ ବସନ୍ତ ଫିକା ବନପ୍ରାନ୍ତ, 

ଫିକା ଏ ପ୍ରକୃତି ପ୍ରଭା। 

ମନେପଡ଼େ ଆଗୋ ଫୁଲେଇ ଫଗୁଣ,

ଦେଉଥିଲୁ ଯେବେ ଛୁଇଁ।

ଜାଗୁଥିଲା ମନେ ଅପୂର୍ବ ରୋମାଞ୍ଚ, 

ହୃଦ ଉଠୁଥିଲା ଚେଇଁ।

ଅନଙ୍ଗ ପରଶ ଭରି ଦେଉଥିଲା,

ପ୍ରୀତିପ୍ରଦ ମାଦକତା।

ଝଳି ଉଠୁଥିଲା ଲାବଣ୍ୟର ଦୀପ୍ତି ,

ପ୍ରାଣେ ପ୍ରାଣେ ସରସତା।

ମନ ଅଗଣାରେ ଫୁଟୁଥିଲା ଫୁଲ, 

ଉଡୁଥିଲେ ପ୍ରଜାପତି।

ମଳୟ ଅନିଳ ସ୍ନିଗ୍ଧ ପରଶରେ ,

ବାଣ୍ଟି ଯାଉଥିଲା ପ୍ରୀତି।

ମନ ଥିଲା କେତେ ଶୁଦ୍ଧ ନିରିମଳ, 

ସେନେହ ସୋହାଗ ଭରା।

ଆପଣାପଣର ସୁରଭିରେ କେହ୍ନେ ,

ସୁରଭିତ ଥିଲା ଧରା।

କୋଇଲି କଣ୍ଠର ମଧୁର ରାଗିଣୀ,

ମୋହୁଥିଲା ଟି ହୃଦୟ।

ଛାଇ ଯାଉଥିଲା ରଙ୍ଗର ବିପଣୀ,

ଧରା କରି ମଧୁମୟ।

ଫଗୁଣର ରଙ୍ଗ ବୋଳି ଦେଉଥିଲା,

ଦେହେ ମନେ ପ୍ରୀତିସୁଧା।

ସବୁ ପୁରୁଷର ହୃଦେ ବିଜେ କୃଷ୍ଣ, 

ସବୁ ନାରୀ ହୃଦେ ରାଧା।

ସବୁ ନଦୀ ଲାଗୁଥିଲେ ଟି ଯମୁନା,

କୂଳ ତା' କଦମ୍ବ ବନ।

ସବୁ ପୁରପଲ୍ଲୀ ଲାଗୁଥିଲା ଗୋପ,

ସବୁ ବନ ବୃନ୍ଦାବନ। 

କାହା ମନେ ଆଜି ନାହିଁ ତ ସରାଗ,

ଲାଗୁଅଛି ରଙ୍ଗହୀନ। 

ଏତିକି ରଙ୍ଗରେ ଏତେ ମନ କେହ୍ନେ , 

କରିଥା'ନ୍ତୁ ବା ରଙ୍ଗୀନ।

ରଙ୍ଗଛଡ଼ା ଏତେ ମନ ରଙ୍ଗିବାକୁ, 

ଲୋଡା ତ ଲକ୍ଷେ ଫଗୁଣ।

ଏଥର ଆସିଲେ ଆଣି ଆସିବୁ ତୁ,

ରହିଲା ତୋତେ ମୋ ରାଣ।

     


Rate this content
Log in

Similar oriya poem from Classics