ଆସନ୍ତେ ବସନ୍ତ
ଆସନ୍ତେ ବସନ୍ତ
ଆସନ୍ତେ ବସନ୍ତ କେମନ୍ତ,
ଧରା ଉଠଇ ଚେଇଁ।
ବସନ୍ତ ଆଗମ କଳ୍ପନା,
ମନ ଯାଉଛି ଛୁଇଁ।
ଶିହରି ଉଠଇ ପ୍ରକୃତି,
ଜାଗେ ପ୍ରୀତି ଭାବନା।
ରହିରହି ଯାଏ ସଂଚରି,
ଋତୁରାଜ ବାସନା।
ଫୁଲେଫୁଲେ ଦିଏ ନିକ୍ଷଣ,
ଉଡି ମଧୁମକ୍ଷୀକା।
ଭ୍ରମଇ ଭ୍ରମର ଭ୍ରମରେ,
ସୃଜି ମଧୁ ଚନ୍ଦ୍ରିକା।
ଫୁଲ ତ ସହଜେ ଚତୁରୀ,
ବାତେ ଯାଆନ୍ତି ହଲି।
ପାରେନାହିଁ ଛୁଇଁ ବିରହେ,
ଝୁରି ଫେରଇ ଅଳି।
ମୁରୁକି ହସନ୍ତି ସୁମନେ,
ଦେଖି ତାର ଦୁର୍ଦ୍ଦଶା।
ପୀରତି ନିଶାରେ ପ୍ରେମିକ,
ଯେହ୍ନେ ଲୋକହସା।
ରଜନୀ ରାଣୀର ବାରତା,
ଧରି ଓହ୍ଲାଏ ସଞ୍ଜ।
ଥିରିଥିରି ବହେ ମଳୟ,
ଛୁଇଁ ଲତା ନିକୁଞ୍ଜ।
ଉଇଁଆସେ ନଭେ ଚନ୍ଦ୍ରମା,
ବିଞ୍ଚିଦେଇ ଜୋଛନା।
ମିଟିମିଟି ତାରକାପଂନ୍ତି,
ହୁଅନ୍ତି ଆନମନା।
ଫେରି ଯାଏ ଶୀତ ସୁମନା,
ମନେ ହୋଇ ଉଦାସୀ।
ବେଳକାଳ ତାର ସରିଲା,
ହେବ ସେ ପରବାସୀ।
ପାଦ ଥାପି ଆସେ ବସନ୍ତ,
ପୀକ ଗାଏ ଗୀତିକା।
ସହକାର ତଳେ ଝୁଲନ୍ତି,
ଆମ୍ର ସତେ ଝୁମୁକା।
ମଧୁର ଲାଗେ ବିଭାବରୀ,
ରଙ୍ଗ ସ୍ବପ୍ନ ବିଭୋର।
ଚୋରେଇ ନିଅଇ ହୃଦୟ,
ସତେ କି ଚିତ୍ତଚୋର।
ମଳୟ ପରଶେ ଯେସନେ,
ନିମ ହୁଏ ଚନ୍ଦନ।
ବସନ୍ତ ଛୁଇଁଲେ ହୃଦୟ,
ହୁଏ ନନ୍ଦନ ବନ।
ମନରେ ମିଳନ ଅଭୀପ୍ସା,
ଯେଣୁ ହୁଏ ଦୁର୍ବାର।
ତଲ୍ଲୀନେ ଗମଇ ଅପଗା,
ଧ୍ୟାନେ ରଖି ସାଗର।
ପ୍ରକୃତି କରଇ ଶୃଙ୍ଗାର,
ଉକୁଟେ ବର୍ଣ୍ଣବିଭା।
ରଙ୍ଗ ବେରଙ୍ଗର କୁସୁମେ,
ସଜାଏ ତା ଗଭା।
ଶୀତର ପ୍ରକୋପେ ନିଷ୍ପ୍ରଭ,
ବୃକ୍ଷ ହରଷ ମନ।
ସଜେଇ ହୁଅନ୍ତି ସୋହାଗେ,
ମଣ୍ଡି ପୁଷ୍ପ ବିତାନ।
ପ୍ରିୟ ଲୋଡେ ପ୍ରିୟା ସାନ୍ନିଧ୍ୟ,
ପ୍ରିୟା ଲୋଡେ ପ୍ରିୟର।
ଅପୂର୍ବ ରୋମାଞ୍ଚ ସୃଜନେ,
ଥରି ଉଠେ ଅଧର।
ଋତୁରାଜ ଏହି ବସନ୍ତ,
ଋତୁ ମଧ୍ଯେ ସରସ।
ଭରିଦିଏ ରଙ୍ଗ ମନରେ,
ଏ ବସନ୍ତ ବିଳାସ।।