STORYMIRROR

Satchidananda Bastia

Classics

4  

Satchidananda Bastia

Classics

ତୋ ନାମରେ ଦେଲି ଲେଖି

ତୋ ନାମରେ ଦେଲି ଲେଖି

2 mins
243

ଆଗୋ ରାଧାରାଣୀ ଗୋପୀ ଶିରୋମଣି,

ଶ୍ରୀକୃଷ୍ଣ ହୃଦ ବରଣୀ। 

ନିର୍ଜନ ନିଶୀଥେ ଲେଖୁଛି ଗୁପତେ, 

ପତ୍ରଟିଏ ମୁଁ ରୁକ୍ମିଣୀ।

ଗଭୀର ନିଦ୍ରାରେ ରତ୍ନ ପଲଙ୍କରେ,

ଶାୟିତ ଦ୍ଵାରକାଧୀଶ। 

ନିମିଳିତ ଘନ କମଳ ନୟନ, 

ଲାଗୁଛି ଶାନ୍ତ ଅବଶ।

ପକ୍ବ ବିମ୍ବାଧରେ ମୃଦୁ ହସ ଧାରେ,

ମୁହୁର୍ମୁହୁ ଅଛି ଲାଖି।

ଦେଖି ମୋ ନୟନ ହୋଇଯାଏ ଧନ୍ୟ,

ଜାଣିବୁ ଗୋ ପ୍ରିୟ ସଖୀ।

ନିତି ଦେଖେ ସେହି ଅନଙ୍ଗ ସ୍ବରୂପ, 

ଦିବ୍ୟ କମନୀୟ ଶୋଭା।

କେଉଁ ଜନମର ଧର୍ମ ବଳେ ଆଜି,

କରେ ଶ୍ରୀଚରଣ ସେବା।

ଶୋଇ ପଡିଲାଣି ଦ୍ବାରକା ନଅର,

ମୋହିତ ଏ ଚରାଚର।

ଶୋଇ ମୁଁ ପାରୁନି କେମିତି ଶୋଇବ,

ରାଜରାଣୀହଂସପୁର ।

ଗବାକ୍ଷ ଫାଙ୍କରୁ ଉଙ୍କିମାରେ ଜହ୍ନ, 

ତା ସାଥେ ବହେ ମଳୟ।

ସମ୍ମୁଖରେ ନାଚେ ତୋ ପ୍ରେମ ପ୍ରତିମା,

ସତେ କେତେ ସୁଧାମୟ। 

ଭାସିଆସେ କାହୁଁ ସୁମନ ସୁରଭି,

ପ୍ରାଣ କରେ ପୁଲକିତ। 

ନିରେଖେ ନୀରବେ ନିଦ୍ରାରେ ଆଛନ୍ନ, 

କି ସୁନ୍ଦର ନୀଳକାନ୍ତ। 

ସ୍ବପ୍ନରେ ତୁ ଆସି ସେ କମଳ ଆଖି,

କୋଣେ କି ଯାଉଛୁ ଭରି।

ସେଥିପାଇଁ କିବା ରହି ରହି ଶ୍ୟାମ,

ଆଖିପତା ଉଠେ ସ୍ଫୁରି।

ସାନ୍ନିଧ୍ୟରେ ସିନା ଅଛି ମୁଁ ଗୋ ସଖୀ,

ସପନରେ ମୁହିଁ ନାହିଁ।

ଜାଣିଛି ମୁଁ ସେହି ନୀଳ ନୟନର,

ନୀଳ ସ୍ବପ୍ନଟିଏ ତୁହି।

ତୁଚ୍ଛ ଲାଗେ ଏହି ପାଟ ପୀତାମ୍ବରୀ, 

ସ୍ବର୍ଣ୍ଣ ରତ୍ନ ଆଭୂଷଣ। 

ଏ ରାଜ ଐଶ୍ଵର୍ଯ୍ୟ ଥାଇ କିବା କାର୍ଯ୍ଯ, 

ଦେଉଛି ଯାହା କଷଣ। 

ପାଇଥିଲି ଭଲ ଦ୍ଵାରକାଧୀଶଙ୍କୁ,

ହେଲି ରାଜରାଜେଶ୍ଵରୀ।

ତୁ ଯେଉଁ ସ୍ବରୂପ ଆଙ୍କିଥିଲୁ ହୃଦେ,

ସେ ତ କାହ୍ନା ବଂଶୀଧାରୀ। 

ମୋ ଅଭୀପ୍ସା ମତେ ଲଭିଲି ମୁଁ ଫଳ,

ହେଲି କୃଷ୍ଣ ପାଟରାଣୀ। 

ତୋ ନିର୍ମଳ ପ୍ରେମ କଲା ତୋତେ ସଖୀ,

ନୀଳକାନ୍ତ ହୃଦମଣି।

ଶାନ୍ତ ବିଭାବରୀ ଆସେ ସରିସରି,

ସ୍ବପ୍ନାୟିତ କଳାକାହ୍ନୁ। 

ନିଶ୍ବାସରେ ଗୁଞ୍ଜେ ରାଧିକା ପ୍ରଣବ,

ଅଶ୍ରୁ ଝରେ ମୋ ନୟନୁ।

ରହି ରହି କାହୁଁ ଶୁଭିଯାଏ କର୍ଣ୍ଣେ,

ମୋହନ ବଂଇଶୀ ସ୍ବନ।

ଦ୍ୱାରକାର ଭବ୍ଯ ରାଣୀହଂସପୁର, 

ଲାଗେ ମୋତେ ବୃନ୍ଦାବନ। 

ଏ ରତ୍ନ ପଲଙ୍କ ଲାଗେ କେଳିକୁଞ୍ଜ, 

ସଜାଏ ମଧୁଚନ୍ଦ୍ରିକା।

ପ୍ରେମ ପୁରୁଷଙ୍କ ପ୍ରୀତି ପ୍ରାପ୍ତି ଆଶେ,

ହୋଇଯାଏ ମୁଁ ରାଧିକା।

ଭାବୁଛୁ ସିନା ତୁ ଅଛୁ ଦୂର ହୋଇ,

ଝୁରୁଥାଉ ବିରହରେ।

ମନ ଉଣା କେବେ କରିବୁନି ତୁ ଗୋ,

ଅଛୁ ତାଙ୍କ ହୃଦୟରେ।

ଥିଲି ଗରବିଣୀ ହୋଇ ପାଟରାଣୀ,

ଆଜି ଲାଗେ ମୋତେ ନିଃସ୍ବ ।

ତୋ ପ୍ରେମ ପାଖରେ ଯାଇଛି ମୁଁ ହାରି,

ତୁ କାହ୍ନା ପ୍ରେମ ସର୍ବସ୍ବ। 

କରିଦେବୁ କ୍ଷମା ବୃଷଭାନୁ ଜେମା,

ପ୍ରଣମେ ତୋର ପୟର।

ତୋ ପ୍ରେମକୁ ନେଇ ସାଜେ ପ୍ରଣୟିନୀ,

ରହିଲି ତୋର ଉଧାର। 

ଏ ଗୁମର କଥା ଦିଏ ଖାଲି ବ୍ୟଥା,

କେମିତି କହିବି ସଖୀ।

ଭାବିବୁନି ପର ମନକଥା ମୋର,

ତୋ ନାମରେ ଦେଲି ଲେଖି।

     



Rate this content
Log in

Similar oriya poem from Classics