STORYMIRROR

Satchidananda Bastia

Tragedy

4  

Satchidananda Bastia

Tragedy

ଭାବିଲ କି ଦୁର୍ବଳତା

ଭାବିଲ କି ଦୁର୍ବଳତା

1 min
49

କହିବି କହିବି ହୋଇ ଏତେଦିନ, 

କହି ଯା' ପାରିନଥିଲି। 

କହିଦେଲି ସିନା ଏବେ ମୁଁ ଭାବୁଛି,

କହିଦେଇ ଭୁଲ୍ କଲି।

ମୋ କହିବା ଠାରୁ ଥିଲା ବୋଧେ ଭଲ,

ତୁମର ସେ ନୀରବତା।

ସେଥିପାଇଁ ତୁମେ କହିବାକୁ ମୋର,

ଭାବିଲ କି ଦୁର୍ବଳତା।

ସେଦିନୁ ଗୋ ସଖୀ ରୂପ ବଦଳାଅ,

ଦିଅନି ସହଜେ ଧରା।

ସନ୍ଧ୍ୟାତାରା ଭାବି ଭଲପାଏ ଯେବେ,

ତୁମେ ହୁଅ କୁଆଁତାରା।

ଖୋଜିଲି ତୁମକୁ ଅଳସୀ ସଞ୍ଜରେ,

ତୁଟାଇଦେଲ ମୋ ଆଶା।

ରାତିର ପଣତ ତଳେ ଛପିଛପି,

ପ୍ରକଟିଲ ହୋଇ ଉଷା।

ମେଘ ଉହାଡରେ ଜହ୍ନ ହୋଇ ତୁମେ,

ଛପି ଦିନେ ଦେଲ ହସି।

ନୀରିହ ଅବୋଧ ମଧୁକର ପ୍ରାୟ,

ସେ ହସେ ଗଲି ମୁଁ ଫସି।

ଜାଣି ତ ନଥିଲି ତୁମ ଚନ୍ଦ୍ରକଳା,

ଦିନୁଦିନ ହୁଏ ଉଣା।

ସୌନ୍ଦର୍ଯ୍ଯ ପଛର ଛଳନା ନବୁଝି,

ହୋଇଗଲି ବାଟବଣା।

ବନଝରଣା ତ ଥିଲ ତୁମେ ସଖୀ,

କେତେବେଳେ ହେଲ ନଈ।

ଫୁଲଟିଏ ଥିଲ କେବେ ହେଲ କଣ୍ଟା, 

ଜାଣି ମୁଁ ପାରିଲିନାହିଁ।

ଭେଟିଲି ତୁମକୁ ସାଗର ବୁକୁରେ,

ହୋଇଥିଲ ତରଙ୍ଗିଣୀ।

ତୁମ ସେ ଉଚ୍ଛଳ ପ୍ରୀତିର ସଙ୍ଗୀତ, 

ମନ ନେଉଥିଲା କିଣି।

ହୃଦେ ପ୍ରେମପୁଷ୍ପ ରଖି ଗଲି ପାଶେ,

ଆଶ୍ଳେଷେ ଭିଜେଇଦେଲ। 

ନିଜର କରିବି ଭାବିଲି ଯେବେ ମୁଁ,

ଚାହିଁଲନି ଫେରିଗଲ।

ଫଗୁଣ ଆସି କହିଲା ବାରମ୍ବାର, 

ତୁମେ କହିଲନି ଥରେ।

ଆସିଛ ନିଦାଘେ ସାଜି କୃଷ୍ଣଚୂଡ଼ା, 

କି ଲାଭ ଏ ଆସିବାରେ।

ପ୍ରେମର ହାଟରେ ପ୍ରେମ ନାମେ ଖାଲି,

ମିଳିଥାଏ ପ୍ରତାରଣା।

ତୁମ ସାଥେ ଭେଟ ହେବା ଦିନଠାରୁ,

ଏକଥା ପଡିଲା ଜଣା।

ତୁମ ଛଳନାର ଲୁଚକାଳି ଖେଳ,

ହୁଏନାହିଁ କେବେ ଶେଷ।

ତୁମେ ବୁଝିଲନି କିଏ ବା ବୁଝିବ, 

ମୋ ମନର ଅବଶୋଷ। 

  

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy