ଶୂନ୍ଯ ପ୍ରେମିକ ହେ
ଶୂନ୍ଯ ପ୍ରେମିକ ହେ
ଶୂନ୍ଯ ପ୍ରେମିକ ହେ,
ତୋ ଶୂନ୍ଯ ପ୍ରେମରେ,
ପ୍ରେମିକା କରିଦେ ମୋତେ।
ତୋ ଶୂନ୍ଯ ବଂଇଶୀ,
ମୋ ଶୂନ୍ଯ ଅନ୍ତର,
ଭରୁ ତୋ ପ୍ରେମ ସଙ୍ଗୀତେ।
ହେ ଶୂନ୍ଯ ନୟନ,
ତୋ ଶୂନ୍ଯ ଆଶ୍ଳେଷେ,
ବିମୁଗ୍ଧ ସୃଷ୍ଟି ତଲ୍ଲୀନ।
ସେ ଶୂନ୍ଯ ଭାବର,
ଶୂନ୍ଯ ସୂତ୍ରାଧାରେ,
ବନ୍ଧା ମୋ ଶୂନ୍ଯ ଜୀବନ।
ଆହେ ଶୂନ୍ଯବ୍ରହ୍ମ,
ତୋ ଶୂନ୍ଯ ଇଙ୍ଗିତେ,
ତୋର ଶୂନ୍ଯ ଭାବ ଧରି।
ଶୂନ୍ଯ ଏ ବ୍ରହ୍ମାଣ୍ଡ,
ଶୂନ୍ଯ ମୂର୍ଚ୍ଛନାରେ,
ଶୂନ୍ଯରେ ଉଠେ ଶିହରି।
ତୋ ଶୂନ୍ଯ ପ୍ରକାଶ,
କରେ ଉଦ୍ଭାସିତ,
ମୋ ଶୂନ୍ଯ ହୃଦ ଅନ୍ଧାର।
ଶୂନ୍ଯ ଭୁଜ ତୋଳି,
ଢାଳି ଦେଏ ଥରେ,
ତୋ ଶୂନ୍ଯ ଆଶୀଷ ଧାର।
ମୋ ଶୂନ୍ଯତା ଯେତେ,
ତୋ ମହାଶୂନ୍ୟରେ,
ଶୂନ୍ଯେ ଯାଉଥିବ ଭାସି।
ମୋ ଜୀବନ ବିନ୍ଦୁ,
ତୋ ଶୂନ୍ଯ ସିନ୍ଧୁରେ,
ଶୂନ୍ଯ ହୋଇଯିବ ମିଶି।
ଶୂନ୍ଯରୁ ସର୍ଜିଛୁ,
ଏ ଶୂନ୍ଯ ଜଗତ,
ଶୂନ୍ଯରେ ପୂର୍ଣ୍ଣତା ଭରି।
ଶୂନ୍ଯ ନଭ ତଳୁ,
ଶୂନ୍ଯ ଧରା ବକ୍ଷେ,
ଶୂନ୍ଯ ସୁଧା ପଡେ ଝରି।
ଘନ କାଳିମାରେ,
ଶୂନ୍ଯ ଜ୍ୟୋତିର୍ବିନ୍ଦୁ,
ପ୍ରକାଶେ ଯେହ୍ନେ ସୁବର୍ଣ୍ଣ।
ମୋ ଶୂନ୍ଯ ହୃଦୟ,
ସେ ଶୂନ୍ଯ ବିଭାରେ,
ହୋଇଯାଏ ପରିପୂର୍ଣ୍ଣ।
ଶୂନ୍ଯ ସିନା ତୁହି,
ଶୂନ୍ଯ ସିନା ମୁହିଁ,
ତୁ ଯେ ଅଟୁ ମହାଶୂନ୍ୟ।
ସେହି ମହାଶୂନ୍ୟେ,
ମୋର ଏ ଶୂନ୍ଯତା,
ମିଶିଗଲେ ହେବି ଧନ୍ୟ।
ହେ ଶୂନ୍ଯ ପୁରୁଷ,
ତୋ ମଧୁ ସୁହାସ,
ମୋହୁ ମୋ ଶୂନ୍ଯ ପରାଣ।
ତୋ ଶୂନ୍ଯ ଚରଣେ,
ମୋ ଶୂନ୍ଯ ଜୀବନ,
କରେ ଶୂନ୍ଯ ସମର୍ପଣ।