STORYMIRROR

Satchidananda Bastia

Classics

3  

Satchidananda Bastia

Classics

ତୁମ ବିନା ମୋର ଅସ୍ତିତ୍ବ ନାହିଁ

ତୁମ ବିନା ମୋର ଅସ୍ତିତ୍ବ ନାହିଁ

1 min
14

ମୋ ସାଥେ ଯେବେ ଗୋ ଲଗାଇଲ ଭାବ,

ହୃଦେ ଆଙ୍କିଦେଲ ତୁମରି ଛବି।

ବସିଲ ଆବୋରି ମୋ ସୂକ୍ଷ୍ମ ମାନସ,

ସେହିଦିନୁ ବୋଧେ ହେଲି ମୁଁ କବି।

ଦେଖିଥିଲି ଦିନେ ଦୂରରୁ ତୁମକୁ, 

ହୋଇଥିଲି ତୁମ ରୂପରେ ମୁଗ୍ଧ।

ଝୁରି ହେଉଥିଲି ତୁମରି ସାନ୍ନିଧ୍ୟ,

ହେଉଥିଲା ମୋର ପରାଣ ଦଗ୍ଧ।

କେତେ ଯେ ରଜନୀ ଯାଇଥିଲା ବିତି,

ଭାବନାରେ ତୁମ ନାହିଁ ତ ମନେ।

ମନେଅଛି କିନ୍ତୁ ସେହି ବିଭାବରୀ,

ଆସିଥିଲ ତୁମେ ଯେବେ ସପନେ।

ଲାଗୁଥିଲ କେଉଁ ସରଗର ପରୀ,

ଅପୂର୍ବ ସୁନ୍ଦର ରୂପ ଲାବଣ୍ୟ।

ଆଗୋ ଜ୍ୟୋତିର୍ମୟୀ ଜ୍ୟୋତିରେ ତୁମର,

ହୋଇ ଉଦ୍ଭାସିତ ହେଲି ମୁଁ ଧନ୍ୟ।

ଚେଇଁ ଉଠିଥିଲା ସୁପ୍ତ ନିଶୀଥିନୀ, 

ନିରନ୍ଧ୍ର ତମସା ଗଲା ଉଭେଇ।

ନିବିଡ଼ ଚେତନା ଦିବ୍ଯ ହାନ୍ଦୋଳାରୁ, 

ପାଦ ଥାପି ଯେବେ ଥିଲ ଓହ୍ଲେଇ। 

ଆସିଲ ମୋ ପାଶେ ଧିର ପଦପାତେ, 

କପାଳରେ ଆଙ୍କିଦେଲ ନିକ୍ଷଣ। 

ଚକ୍ଷୁ ନିମିଳିତ ହୃଦ ଆନ୍ଦୋଳିତ, 

ଭୁଲି ପାରିନି ସେ ମାହେନ୍ଦ୍ର କ୍ଷଣ।

ଝରିପଡୁଥିଲା ଶୂନ୍ଯରୁ ଭାବନା,

ସତେ କି ତୁମର ପୀରତି ସ୍ତୋକ। 

ବିଞ୍ଚି ଯାଉଥିଲେ ଶବ୍ଦର ପ୍ରସୂନ, 

ହସି ଉଠୁଥିଲା ହୃଦ ସ୍ତବକ।

ଭାସି ଆସୁଥିଲା ବ୍ୟୋମରୁ ପ୍ରଣବ,

ନୀରବ ମୂର୍ଚ୍ଛନା ଭବ୍ଯ ତରଙ୍ଗ। 

ଲେପି ଦେଉଥିଲା ବେରଙ୍ଗ ମାନସେ,

ସୌମ୍ଯ ଚେତନାର ଅନଙ୍ଗ ରଙ୍ଗ। 

ମନ ବୃନ୍ଦାବନେ ଛନ୍ଦାୟିତ ତାନେ,

ଗୁଞ୍ଜୁଥିଲା ରାଈ ନୃତ୍ଯ ନିକ୍ବଣ।

ହୃଦୟ କାଳନ୍ଦୀ ଅଭ୍ୟନ୍ତର ଛୁଇଁ,

ଶୁଭୁଥିଲା କାହ୍ନା ବଂଇଶୀ ସ୍ବନ।

ଜଡ଼ ମାନସରେ ତୁମ ପରଶରେ,

ପ୍ରଜ୍ଞାର କାଉଁରୀ ଗଲା କି ଛୁଇଁ।

ମରୁ ପ୍ରାନ୍ତରର ସ୍ନିଗ୍ଧ ସରସୀରେ,

ହସି କିବା ଫୁଟି ଉଠିଲା କଇଁ।

ଅମା ନିଶୀଥର ଅନ୍ଧକାର ଚିରି,

ହସି ଉଠିଲା କି ପୁନେଇଁ ଜହ୍ନ। 

ତପ୍ତ ନିଦାଘରେ ପାଦପେ ପାଦପେ, 

ଫୁଟି ଉଠିଲା କି ସୌମ୍ଯ ସୁମନ।

ନିଦ୍ରା ତେଜି ଯେବେ ଦେଖେ ନାହଁ ତୁମେ,

ସୁନ୍ଦର ସପନ ଗଲା ମୋ ଭାଜି।

ଭାବନାରେ ସିନା ସ୍ମୃତି ଅଛି ତୁମ,

ତୁମକୁ କିନ୍ତୁ ମୁଁ ହେଉଛି ଖୋଜି।

କବିତା ଗୋ ତୁମେ ମୋ ମନ ମାନସୀ,

ଅଣୁଭା ପରାୟେ ଛପିଛ କାହିଁ।

ଆଜି ପରା ତୁମ କବିତା ଦିବସ, 

ଆସିବ କାଳେ ମୁଁ ରହିଛି ଚାହିଁ।

ଭାବନାକୁ ତୁମ ଭାଷା ଶୃଙ୍ଗାରରେ,

ସଜେଇଦିଏ ମୋ ଲେଖନୀ ମୁନେ। 

ତଥାପି ବୁଝେନା ଏ ଅବୁଝା ମନ,

ବିନତି ରହିଲା ଆସିବ ଦିନେ।

ସୁମନା ଗୋ କାହିଁ ରହିଛ ଗୋପନେ,

ଅଦୃଶ୍ଯରେ ରହି ଦେଉଛ କହି।

ତୁମ ଭାବନାକୁ ରୂପଦିଏ ଖାଲି,

ତୁମ ବିନା ମୋର ଅସ୍ତିତ୍ବ ନାହିଁ।

    * * * * *



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics