STORYMIRROR

Satchidananda Bastia

Classics

4  

Satchidananda Bastia

Classics

ପ୍ରିୟା ରହିଗଲା ପଥର ହୋଇ

ପ୍ରିୟା ରହିଗଲା ପଥର ହୋଇ

2 mins
10

ଚନ୍ଦ୍ରିକା ବିଧୌତ ପ୍ରଶାନ୍ତ ନିଶିଥ ,

ଚନ୍ଦ୍ରଭାଗା ବେଳା ପଡିଛି ଶୋଇ।

ପାନ୍ଥଶାଳା ଶଯ୍ୟା ସୁଖନିଦ୍ରା ଚର୍ଯ୍ୟା, 

ଶତ ଚେଷ୍ଟା ସତ୍ତ୍ଵେ ପାରିନି ଦେଇ।

ଶୁଣିଥିଲି କେତେ ନହେଲା ପରତେ,

ସଂଦର୍ଶନ ଇଚ୍ଛା ଉଠିଲା ଜାଗି।

ସୁଦୂର ପଲ୍ଲୀରୁ ଆସିଥିଲି ଧାଇଁ, 

ସପନ ସାର୍ଥକ କରିବା ଲାଗି।

ଦେଖିଲା ଏ ଡୋଳା ଚାରୁ ଚିତ୍ରକଳା, 

ସୁନ୍ଦରତା ଯାର ହୁଏନା କଳି।

ପାଷାଣ ଦେହରେ ନିହାଣ ମୁନରେ,

ଜୀବନ କି କିଏ ଦେଇଛି ଢାଳି।

ମୁଗ୍‌ଧ ଆଖି ଦ୍ୱୟ ଅପଲକ ପ୍ରାୟ,

ରହି ରହି ଯାଉଥିଲା ଅଟକି।

ନିଥର ପ୍ରସ୍ତର ଜୀବନ୍ତ ରୁଚିର, 

ଚଳା ପ୍ରାୟ ଉଠୁଥିଲା ଝଟକି ।

କିଏ ସେ ଦେଖିଲା ସୂକ୍ଷ୍ମ କାରୁକାର୍ଯ୍ୟ, 

ବାହା ବାହା କରି ଗଲା କେ ଚାଲି।

ବିଦଗ୍ଧ ଭାସ୍କର୍ଯ୍ୟ ବିମୁଗ୍ଧ ପଣରେ,

ଫେରିବାକୁ ହେବ ଗଲି ମୁଁ ଭୁଲି।

ପାନ୍ଥଶାଳା କକ୍ଷ ସଂକୀର୍ଣ୍ଣ ଗବାକ୍ଷ,

କର୍ତ୍ତୃକେ ପ୍ରକୀର୍ଣ୍ଣ ମନ୍ଦିର ଶୋଭା।

ଶୁଭ୍ର ଚନ୍ଦ୍ରାଲୋକେ ଜୀବନ୍ତ କଳାର, 

ଫୁଟି ଉଠୁଥିଲା ଅପୂର୍ବ ବିଭା।

ରାତ୍ରି ର ବୟସ ବଢୁଥିଲା ଧିରେ,

କୃଷ୍ଣ ଶିଳାକୁଞ୍ଜ ନିଦ୍ରା ବିଭୋର ।

ଚନ୍ଦ୍ରିକା ପରଶେ ଲାଗୁଥିଲା ସତେ,

ସ୍ୱପ୍ନର ପିତୁଳା ଶଙ୍ଖମର୍ମର।

ବହଳ ଅନ୍ଧାର ପତଳା ଶିଶିର, 

ଯାଉଥିଲା ଆଖିପତାକୁ ଛୁଇଁ ।

ତନ୍ଦ୍ରିତ ଅବଶ କ୍ଳାନ୍ତ ଅପଘନ,

ନିମିଷ ମାତ୍ରେ ପଡିଲା ଘୁମେଇ ।

ଦେଖିଲି ସପନେ ନର୍ତ୍ତକୀ ଲଳନା,

ଜୀବନ୍ତ ମୁଦ୍ରାରେ ଉର୍ବଶୀ ସମ।

ତା ପାଦ ନୂପୁର ସାନ୍ଦ୍ରିତ ଝଙ୍କାର, 

ତୋଳୁଥିଲା ମୃଦୁ ମଧୁ ନିକ୍ୱଣ।

ଝଙ୍କୃତ ନିନାଦ ତାଳେ ତାଳେ ପାଦ,

ସାବଲୀଳେ ବାଣ୍ଟୁଥିଲା ଟି ଛନ୍ଦ ।

କଳକଣ୍ଠ ସମ ସଙ୍ଗୀତ ମୂର୍ଚ୍ଛନା, 

ଭାସି ଆସି କରୁଥିଲା ନିସ୍ପନ୍ଦ ।

ଅଙ୍ଗଭଙ୍ଗୀ ତାର ସ୍ରୋତସ୍ୱିନୀ ଧାର,

ତରଳ ସରଳ ଭାବ ପରଖି।

ପାଷାଣ ଗାତ୍ରରେ କାରୁକାର୍ଯ୍ୟ ଛଳେ,

କବିତା କି କିଏ ଦେଇଛି ଲେଖି ।

ଘନ ତିମିରରେ ଲୁପ୍ତ ବାତାୟନେ, 

ଚାହିଁଲା କରୁଣ କଟାକ୍ଷ ଖୋଲି।

ସ୍ଫୁରିତ ନୟନେ ଚତୁରେ ସୁମନା,

କହୁଥିଲା ସତେ ଚିହ୍ନିଛି ବୋଲି।

ଭାବର ଝରଣ ଥିଲା ଆମନ୍ତ୍ରଣ, 

ଏ କି ଆକର୍ଷଣ ଟାଣଇ ମୋତେ।

ସଂକୋଚ ଅନ୍ତରେ ପଚାରିଲି ଧିରେ,

କହିଲା ଯାହା ନୋହିଲା ପରତେ ।

ଅତି ସମ୍ଭ୍ରମରେ ସବିନୟ ଭରେ,

କରି ମଥାନତ କହେ ସଧୀରେ ।

ଆନନ୍ଦାତିଶଯ୍ୟେ ବେନି ନୟନରୁ,

ଝରଝର ହୋଇ ଲୋତକ ଝରେ ।

ବାଷ୍ପାକୁଳ କଣ୍ଠେ କହଇ ସୁମୁଖୀ, 

ଏତେ ଦିନେ ମୋ ସରିଲା ପ୍ରତୀକ୍ଷା ।

ହେ କବି ତୁମେ ତ ମୋର ପ୍ରିୟ ଶିଳ୍ପୀ, 

ଚାହିଁଛି ତୁମକୁ ବରି ତିତିକ୍ଷା।

ଏଇ ହାତେ ତୁମେ ଗଢିଛ ମୋ ତନୁ,

ଜୀବନ୍ୟାସ ଦେଇ ନିହାଣ ମୁନେ ।

କେତେ ଜନମର ସଂପର୍କ ଆମର,

ଭୁଲିନାହିଁ ସବୁ ରଖିଛି ମନେ।

ପଥର ନୁହେଁ ମୁଁ ଜୀବନ୍ତ ପ୍ରତିମା,

ହୃଦୟେ ସ୍ଫୁରିତ ପ୍ରୀତି ସ୍ପନ୍ଦନ ।

ଭଗ୍ନ ମନ୍ଦିର ର ମଗ୍ନ ପ୍ରେମିକା ମୁଁ, 

ପ୍ରିୟ କୁ ନିରେଖି ହେଲି ମୁଁ ଧନ୍ୟ ।

କୁହୁକ ପରାୟେ ମାନସପଟରେ, 

ସ୍ମୃତିର ଚନ୍ଦ୍ରମା ଆସିଲା ଉଇଁ ।

ଅତୀତ ଗରଭୁ ସୁପ୍ତ ଅନୁଭବ, 

ନିମିଷକ ଲାଗି ଉଠିଲା ଚେଇଁ ।

ଆନନ୍ଦର ଅଶ୍ରୁ ଅମାନିଆ ହୋଇ, 

ଚିବୁକରେ ଦେଉଥିଲା ନିକ୍ଷଣ ।

ବିଚ୍ଛେଦ ଦୁଃଖରୁ ମିଳନର ସୁଖ,

କେଡେ ଅପୂର୍ବ ଏ ଅମୂଲ୍ୟ କ୍ଷଣ।

ଭଗ୍ନ ହୃଦୟର ବିରହ ବିଷାଦ ,

ମାର୍ମିକ ଉନ୍ମେଷେ ଭାଙ୍ଗିଲା ମୋହ।

ଚାହିଁଦେଖେ କାହିଁ କେହି ଜଣେ ନାହିଁ, 

ସନ୍ତାପିତ ପ୍ରାଣ ହେଲା ଦୁଃସହ ।

ପାହି ଆସୁଥିଲା ଶାନ୍ତ ବିଭାବରୀ, 

କୁଆଁତାରା ସ୍ନିଗ୍ଧ ପ୍ରଦୀପ ଜାଳି।

ସାଗର ଗରଭୁ ଉଠୁଥିଲେ ଭାନୁ,

ଉତ୍ତାଳ ତରଙ୍ଗେ ଅବିର ଗୋଳି।

ମନ ହେଉଥିଲା ନିବିଡ଼ ଆଶ୍ଳେଷେ, 

ହୃଦୟେ ହୃଦୟ ଦେବି ଜଡାଇ।

ଭାଜିଗଲା ନିଦ୍ରା ତୁଟିଗଲା ସ୍ୱପ୍ନ, 

ପ୍ରିୟା ରହିଗଲା ପଥର ହୋଇ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics