STORYMIRROR

Satchidananda Bastia

Classics

4  

Satchidananda Bastia

Classics

କେମିତି ଦେବ ଦୂରେଇ

କେମିତି ଦେବ ଦୂରେଇ

1 min
21

ହୁଅ ପଛେ ତୁମେ ମୋ ଆଖିର ଲୁହ, 

ମୁଁ ହେବି ତୁମର ହସ।

ହୁଅ ପଛେ ତୁମେ ନିଷ୍ଠୁର ନିଦାଘ, 

ମୁଁ ହେବି ଶ୍ରାବଣୀ ସ୍ପର୍ଶ। 

ହୁଅ ପଛେ ତୁମେ ମୋ ପାଇଁ କଣ୍ଟକ, 

ତୁମ ପାଇଁ ହେବି ଫୁଲ।

ତୁମ ପାଇଁ ହେବି ତୁଷାର ପରଶ,

ତୁମେ ହେଲେ ନିଆଁ ଝୁଲ।

ହୁଅ ପଛେ ତୁମେ ନିଥର ପାଷାଣ, 

ହେବି ମୁଁ ବନ ଝରଣା।

ହୁଅ ପଛେ ତୁମେ ସୁଦୂର କେଦାର,

ମୁଁ ହେବି ତୁମ ଅଗଣା।

ତୁମେ ହୁଅ ପଛେ ଶୁଷ୍କ ସଇକତ, 

ମୁଁ ହେବି ମନୋଇ ନଈ।

ତୁମ ନୀରବତା ଭାଙ୍ଗି ବହୁଥିବି, 

କୁଳୁ କୁଳୁ ଗୀତ ଗାଇ। 

ତୁମେ ହୁଅ ପଛେ କ୍ଳାନ୍ତ ଖରାବେଳ, 

ମୁଁ ହେବି ଅଳସୀ ସଞ୍ଜ। 

ତୁମେ ହୁଅ ପଛେ ନିଘଞ୍ଚ ଅରଣ୍ୟ,

ମୁଁ ହେବି ଲତା ନିକୁଞ୍ଜ। 

ତୁମେ ହୁଅ ପଛେ ନୀରବ ନିଥର,

ହୃଦହୀନ ବେଳାଭୂମି।

ହୋଇ ମୁଁ ପ୍ରମତ୍ତ ଉତ୍ତାଳ ଲହରୀ,

ଯାଉଥିବି ଧିରେ ଚୁମି। 

ହୁଅ ପଛେ ତୁମେ ଉଆଁସ ଅନ୍ଧାର, 

ମୁଁ ହେବି ପୁନେଇଁ ଜହ୍ନ। 

ତୁମେ ହୁଅ ପଛେ ଅସ୍ତ୍ରର ଆଘାତ, 

ମୁ ହୋଇ ରହିବି ଚିହ୍ନ। 

ତୁମେ ହୁଅ ପଛେ ଡହ ଡହ ଖରା,

ମୁଁ ହେବି ଶୀତଳ ଜ୍ୟୋତ୍ସ୍ନା।

ମୁଁ ହେବି ସଜଳ ଚାରୁ ମରୁଦ୍ୟାନ 

ତୁମେ ହେଲେ ମୃଗତୃଷ୍ଣା।

ଯେତେଦୂରେ ତୁମ ଯାଅ ପଛେ ପ୍ରିୟ,

ହୋଇଥିବି ତୁମ ଛାଇ।

ତୁମେ ହେଲେ ଘୃଣା ମୁଁ ହୋଇବି ପ୍ରୀତି,

କେମିତି ଦେବ ଦୂରେଇ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics