ଏଇ ସ୍ମୃତିର ନଦୀ ତୀରେ
ଏଇ ସ୍ମୃତିର ନଦୀ ତୀରେ
ଏଇ ସ୍ମୃତିର ନଦୀ ତୀରେ।
ଅତୀତର କେତେ ବିମଳ ମୁହୂର୍ତ୍ତ,
କଳ୍ପନାରେ କେବେ ହୁଏନା ପ୍ରତୀତ,
ହୋଇ ଅବାରିତ ଝରେ।
ଏଇ ସ୍ମୃତିର।
କେତେ ଅନୁପମ ଅଭୁଲା ଲଗନ,
ଭାବନାରେ ମୋତେ କରେ ସେ ମଗନ,
ଯା' ମଧୁ ରାଗିଣୀ ଏବେ ବି ଗୁଞ୍ଜିତ,
ନିରନ୍ତର ହୃଦୟରେ।
ଏଇ ସ୍ମୃତିର।
ଶୈଶବର ସ୍ମୃତି କି ଅବୋଧ ସତେ,
ଭାସନ୍ତି କାଗଜ ଡଙ୍ଗା ହୋଇ କେତେ,
ସିଏ କି ଜାଣନ୍ତି କାଗଜର ବଳ,
ବନ୍ଧା ସିନା ବିଶ୍ବାସରେ।
ଏଇ ସ୍ମୃତିର।
କିଛି ଶଇଶବ ସ୍ମୃତିଫୁଲ ହୋଇ,
ଯାଉଥାନ୍ତି ଭାସି ସ୍ନିଗ୍ଧ ହାସ୍ୟ ଦେଇ,
ଖୋଜୁଥାନ୍ତି ଟିପେ ସେନେହ ସୋହାଗ,
ଅନାବିଳ ଅଭିପ୍ସାରେ।
ଏଇ ସ୍ମୃତିର।
ଭାସି ଯାଉଥାନ୍ତି କୈଶୋରିକା ସଙ୍ଗ,
ସମୀରଣେ ଯେହ୍ନେ ଦୋଳଇ ତରଙ୍ଗ,
ଅନ୍ତରଙ୍ଗ ପଣେ ହୋଇ ଉଲ୍ଲସିତ,
ନାଚିନାଚି ସ୍ରୋତ ଧାରେ।
ଏଇ ସ୍ମୃତିର।
କିଛି କୈଶୋରିକା ସତେ କାଶତଣ୍ଡୀ,
ନଦୀପଠା ପରେ ହୋଇଥାନ୍ତି ମଣ୍ଡି,
ଅକଳ୍ପ ନୀରବ ମୂର୍ଚ୍ଛନାର ତାଳେ,
ଝୁମୁଥାନ୍ତି ପବନରେ।
ଏଇ ସ୍ମୃତିର।
ଯୌବନର କେତେ ପ୍ରୀତିର ଉନ୍ମେଷ,
ବହି ଯାଉଥାନ୍ତି ହୋଇ ଅବଶୋଷ,
ଆହତ ମିଳନ ଆକାଂକ୍ଷା ହୋଇ ସେ,
ଝୁରୁଥାନ୍ତି ବିରହରେ।
ଏଇ ସ୍ମୃତିର।
କିଛି ଯଉବନ ଅନଙ୍ଗ ଲଗନ,
ଫୁଟିଥାନ୍ତି ରଙ୍ଗେ ଭରି ଉପବନ,
ହୋଇ ସେ ମାନସୀ ନୟନର ଭାଷା,
ଡାକୁଥାନ୍ତି ଇଶାରାରେ।
ଏଇ ସ୍ମୃତିର।
ଏ କି ଆକର୍ଷଣ ଆକର୍ଷଇ ମୋତେ,
ବିସ୍ମୃତିରେ ଲୁପ୍ତ ସମ୍ପର୍କ ଯେମନ୍ତେ
ମନ ହୁଏ ଭାସିଯିବାକୁ ସାଥିରେ,
ଭିଜି ଭାବ ଚନ୍ଦ୍ରିକାରେ।
ଏଇ ସ୍ମୃତିର।
ଏକାନ୍ତପଣରେ ହୋଇ ମର୍ମାହତ,
କେଉଁ କିମିଆରେ ହୁଏ ମୁଁ ଉନ୍ମତ,
ଅବା କେଉଁ ମନ୍ତ୍ରେ ହୋଇ ମୁଁ ମନ୍ତ୍ରିତ,
ଚାଲିଆସେ ନୀରବରେ।
ଏଇ ସ୍ମୃତିର।
ମାନେନାହିଁ ମନ ଧାଇଁଆସେ ନିତି,
ତଲ୍ଲୀନେ ଶୁଣେ ତା କୁଳୁକୁଳୁ ଗୀତି,
ଭେଟିବାର ଆଶେ ମୁଗ୍ଧ ମାନସେ,
ହଜିଯାଏ ଭାବନାରେ।
ଏଇ ସ୍ମୃତିର।
କେବେ ଭରିଦିଏ ମନରେ ରୋମାଞ୍ଚ,
ଶୋଭାପାଏ କେବେ ସତେ କି ମାଳଞ୍ଚ,
ଆଉ କେବେ ପୁଣି ହୋଇ ଝରାଫୁଲ,
ଭିଜାଏ ସେ ଲୋତକରେ।
ଯେମିତି ବି ହେଉ ପ୍ରାଣରୁ ପ୍ରିୟ ସେ,
ଭଲପାଏ ଅନ୍ତରରେ।
ଏଇ ସ୍ମୃତିର।