ଜନ୍ମଦାତା
ଜନ୍ମଦାତା
ଦ୍ଵିଜ ମନ୍ତ୍ର ସଂସ୍କାର ଭିତରେ
ଗଢିଥିଲ ଶୁଦ୍ଧ ପୂତ ମନ
ନାଁ ଧରିବାର ନୁହେଁ ବୋଲି
ନାନା ଡାକ କେତେ ଆପଣାର
ନନା ସେତ ମୋର ଜନ୍ମଦାତା
ହୃଦୟର ସ୍ପନ୍ଦନ ମୋ
ପ୍ରତି ଜୀବକୋଷେ
ସେ ନଟରାଜ ମୂର୍ତ୍ତି
ନଶ୍ୱର ଶରୀରଧାରୀ ସୃଷ୍ଟି କର୍ତ୍ତା
ଅଭୟ ପ୍ରଦାନକାରୀ ଶକ୍ତିର ଆଧାର
ଦିବ୍ୟ ଜୀବନ ପ୍ରଦାନକାରୀ
ତୁମେ ମୋ ଚଳନ୍ତି ଦେବତା
ସଭିଙ୍କ ସମ୍ମାନଷ୍ପଦ ଶୁଭଚିନ୍ତକ
ପରାପର ଭାବର ଉର୍ଦ୍ଧରେ
ତୁମେ ଥିଲ ମହାନ ହେ ପିତା
ଜ୍ୟୋତିଷ ଶାସ୍ତ୍ରେ ଥିଲ
ଅମଳିନ ପ୍ରତିଭା
ଅଙ୍ଗୁଳି ଗଣନା କରି
ଦେଉଥିଲ କହି
ଗତ ଆଗତର ନିଚ୍ଛକ ବାର୍ତ୍ତା
ଦୁଃଖ କଷ୍ଟ ଦୂର ପାଇଁ
ଗ୍ରହ ଶାନ୍ତିର ଉପଦେଶ
ମାତ୍ର ନିଜେ ଜନ୍ମ ରହସ୍ୟର
ଚକ୍ରେ ଛନ୍ଦିହୋଇ ଭୋଗିଲ.ଯାତନା
ସେ ଥିଲା ହୁଏତ କ୍ରିୟମାଣ
ଅବା ସଂଚିତ ପ୍ରାରବ୍ଧ
ତିଳ ତିଳ ଜଳି
ବୁଜିଦେଲ ଆଖି
ମନେପଡେ ତୁମ ଧୋବ ଫର ଫର
ଧୋତି ସାଥେ କନ୍ଧେ
ନାଲି ଗାମୁଛା
ମଥାରେ ଚନ୍ଦନ ଟିପା
ବିଶାଳ ବପୁରେ ମତ୍ତ ସିଂହ ଚାଲି
ଶାସ୍ତ୍ର ଆରାଧନା କରି
କର୍ମ କର୍ମାଣୀ ରେ ବ୍ରତୀ
ଥିଲ ସଦା ବିଭୂଚିନ୍ତନରେ
ତୁମ ହାତ ଗଢ଼ା ମନ୍ଦିର
ଥିଲା ବୈକୁଣ୍ଠ ସମାନ
ଆକାଶର ଚାନ୍ଦ ମାଗିଲେ ବି
ଭାଙ୍ଗି ଦେଉନଥିଲ ମନ
ହଁ, ଆଣିବା ର ଦିଅ ପ୍ରତିଶୃତି
ଯୁକ୍ତିକଲେ କର୍ମରେ ବିଶ୍ୱାସ
ତୁମେ କୁହ ଯାହା
ଇଶ୍ଵରଙ୍କ ଇଛା ଟଳିବନି କେବେ
ପ୍ରଗାଢ଼ ଇଶ୍ଵର ବିଶ୍ୱାସୀ ହୋଇ
ପାଇଲ କଣ
ଲହୁଲୁହ ନିଗାଡ଼ି
ଗଢ଼ିଥିବା ମଣିଷ
କଲେ ହତାଦର
ମନେପଡେ ଶେଷ ମୁହୂର୍ତ୍ତର
ନୀରବ ଚାହାଣି
କେତେ ଅସହାୟ ଥିଲି
ଅନ୍ୟ ପାଶେ ଅଭିମାନ ରଖି
ମୁହଁ ଫେରାଇଲି
ହାତଭାଗିନୀ ମୁଁ
କେ ବୁଝିବ ଅନ୍ତର୍ଦାହ
ସତ୍ୟ ଧର୍ମ କର୍ମର
ଫଳ ଆଜି ବିପରୀତ
ତଥାପି ତୁମେ ମୋ ଆଦର୍ଶ
ଆଚରିବି ଧର୍ମ ପଥ
ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ
ଇଶ୍ୱରଙ୍କୁ ଜଣାଏ ଗୁହାରି
ଜନ୍ମେ ଜନ୍ମେ କୋଳେ ତାଙ୍କ
ଜନ୍ମ ଦିଅ ହରି |
