STORYMIRROR

Swarnalata Dash

Others

3  

Swarnalata Dash

Others

ଗାଁରେ ଥିଲା ଶୀତ

ଗାଁରେ ଥିଲା ଶୀତ

1 min
115

ଜୀବନ ଜଞ୍ଜାଳେ ଉବୁଟୁବୁ

ଯେବେ ନିଷ୍କୃତି କ୍ଷଣେ ମିଳେ

ସ୍ମୃତି ଇଲାକାରେ ମୃଦୁ ପାଦଚିହ୍ନ

ମନ ରାଜ୍ୟେ ଭାସି ବୁଲେ

ଅତୀତର କେତେ ଅଲିଭା ସନନ୍ଦ

ସାଇତା ଅନ୍ତର ତଳେ

ଖରା ବର୍ଷା ଶୀତ ବସନ୍ତ ପରଶ

ଆଖି ଆଗେ ଆସି ଝୁଲେ

ସେ ଦିନ ତ ଥିଲା ଗ୍ରାମ୍ୟ ଜୀବନର

ଅଭୁଲା ପରଶ ଟିଏ

ହେମନ୍ତର ଶେଷେ ଧରା ରାଣୀ ହସେ

କାକର ମୁକୁତା ପ୍ରାୟେ

ପଉଷସକାଳ ଶୀତୁଆ ବାଆରେ

ଦେହ ମନ ଥରିଯାଏ

ଚୁଲି ନିଆଁ କିବା ଉହ୍ନେଇ ନିଆଁ କୁ

 ଆବୋରିଥାନ୍ତି ସଭିଏଁ 

ଦାଣ୍ଡ ପିଣ୍ଡାତଳେ କାଠ ଗଣ୍ଡି ଜାଳି

ଶିରାଳ ହାତକୁ ସେକି

ଦଳେ ଦଳେ ବସି କଥା ଢ଼ିଙ୍କିଶାଳୁ

ଢେଙ୍କାନାଳକୁ ଯାଏଟି

ଧାନ ଖଳାରେ ତ ବେଙ୍ଗଳା କରନ୍ତି

କାଳିଆ କଷରା ହଳ

ହଳିଆ ବୁଲାଏ ମେଢ଼ି ଚାରିପଟେ

କୁହାଟି କରେ ଗହଳ

ରାତି ଧାନକୁଟା ଢ଼ିଙ୍କିର ଶବଦ

ଢ଼ପର ଢାଇଁ କରଇ

ଫୁକିଆ ଉଇଁଲେ ଗ୍ରାମବାସୀ ଉଠି

ନିତ୍ୟ କର୍ମ ରେ ଲାଗଇ

ଗହିରୁ ଶଗଡ଼େ ଧାନ ବିଡା ବୋହି

ଶଗଡିଆ ଗାଏ ଗୀତ

ବରଷକ ପାଇଁ ଅମଳ କରଇ

ମହାଲକ୍ଷ୍ମୀ ପୂଜି ସେ ତ

ବଉଳ ଅମସ୍ୟା ଶାମ୍ବଦଶମୀ ତ

ପୁଷ ପୁନେଇଁ ପରବ

ଅଲଣାଓଷା କୁ ଝିଅ ବୋହୁ କରି 

ପୂଜିଥାନ୍ତି ସୂର୍ଯ୍ୟ ଦେବ

ମାଘ ପୁନେଇଁରେ ଅଗି.ଜାଳି ସର୍ବେ

ସରେ ଶୀତରଙ୍ଗ ରାଗ l

ଏବେ ନାହିଁ ଆଉ ସେକାଳ ପଖାଳ

ଶୁଖୁଆକୁ ଚଣାଶାଗ

ଶୀତ ଦାଉ ରକ୍ଷା ଗରମ ପୋଷାକ

ଏବେ ସିନା ହୁଏ ଘୋଡା

ସେତେବେଳେ ଶୀତେ କନ୍ଥା ମସିଣା ତ

ନିଆଁ ପାଇଁ କାଠ ପୋଡା

ନଈ ପୋଖରୀରେ ଗାଧୁଆ କଷଣ

ହାତ ଗୋଡ଼ କାଠ ହୁଏ

ଗ୍ରାମ୍ୟ ଜୀବନରୁ ସେ ଶୀତ ହଜିଛି

ପୋଥା ସମୟର ସୁଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍