STORYMIRROR

Swarnalata Dash

Others

4  

Swarnalata Dash

Others

ସ୍ମୃତିରେ ବର୍ଷା

ସ୍ମୃତିରେ ବର୍ଷା

1 min
249

ଅତୀତର ସେଇ ବର୍ଷା ଭିଜା ଦିନ

ଉଙ୍କିମାରେ ସ୍ମୃତି ଇଲାକାରେ

ପହିଲି ବରଷା ଭିଜା ମାଟି ବାସ୍ନା

ଅମୋଦିତ ତନୁ ମନ କରେ

ସେଦିନ ଆଜିବି ମନେ ପଡି ହୁଏ

ଆନମନା ଦେଖି ବରଷାକୁ

ସାଧବବୋହୂକୁ ଧରିବାର ଖୁସି

ସାଥେ କରକାକୁ ଖାଇବାକୁ

ଭିଜିବାକୁ ଟିକେ ବରଷା ପାଣିରେ

ମନ ଛଟପଟ ହେଉଥାଏ

କାଗଜ ଡ଼ଙ୍ଗା ଭସାଇବା ପାଇଁ

ଛପି ଛପି ଓଳି ତଳ ଧାଏଁ

ସାଙ୍ଗ ସାଥି ହୋଇ ନଈକୁ ଗାଧୋଇ

ଯାଇଥିଲୁ ଏକ ବର୍ଷା ଦିନେ

କୁଆଡେ ଥିଲା ସେ କଳା ବଉଦଟା

ଘୋଟି ଆସିଥିଲା ଚାରି କୋଣେ

ଚପଳା ଚମକେ ଅଶନୀ ଶବଦେ

ଛାତି ଥରିଗଲା ସଭିଙ୍କର

ଟପ ଟପ ବର୍ଷା ସାଥିରେ କରକା

ଆସି ଦେହେ ବାଜି କଲବଲ

ପ୍ରଭଞ୍ଜନ ବେଗ ଅତୀବ ପ୍ରଖର

ଉଡାଇ ନେଉଥିଲା ଆମକୁ

ଜୀବନବିକଳେ ଧାଇଁଲୁ କଷ୍ଟରେ

ନଈକୂଳ ଆମ୍ବ ତୋଟାକୁ

ଆଖିରେ ବାଲି ବର୍ଷା ଭିଜା ଦେହ

ଶୀତେ ହେଉଥିଲୁ ଥୁରୁ ଥୁରୁ

ବରଷା ଛାଡିଲା ଇନ୍ଦ୍ରଧନୁ ଦେଖି

ସଂଜରେ ଘରକୁ ଫେରିଥିଲୁ

ସେଇ ବର୍ଷାମାଡ଼ ମନେପଡେ ସଦା

ଥିଲେ ବି ବୟସ ଅପରାହ୍ନେ

ପ୍ରକୃତିର ଲୀଳା ଅତୀବ ବିଚିତ୍ର

ଚକ୍ରବତ ସୁଖ ଦୁଃଖ ଯେହ୍ନେ |



Rate this content
Log in