ମାଆ ଓ ଶାଶୁ
ମାଆ ଓ ଶାଶୁ
ଦୁନିଆରେ ଯଦି କେହି ଜଣେ ଥାଏ
ଜୀବନେ ନିଜର ହୋଇ
ସିଏ ଏକା ଜଣେ ଜନ୍ମ କଲା ମାଆ
ତାର ସମ କେହି ନାହିଁ |
ଦୁନିଆରେ ଶ୍ରେଷ୍ଠ ତ୍ୟାଗୀ ସିଏ ପରା
ଧରିତ୍ରୀ ସମ ଉଦାର
ଝିଅ ଅବା ପୁଅ ଯାହା ବି ତାହାର
ତା ପାଇଁ ସେନେହ ଝର |
ଝିଅ ଜନ୍ମ ପରେ ଜାଣି ଥାଏ ମାଆ
ହେବ ସିଏ ପରଘରି
ତଥାପି କେବେବି ଊଣା କରେ ନାହିଁ
କୋଳେ ତାକୁ ଥାଏ ଧରି |
ପାଠ ପଢ଼ା ସହ ଘରର ପାଇଟି
ସବୁ ତାକୁ ଶିକ୍ଷା ଦିଏ
ପର ମଣିଷକୁ ନିଜର କରିବା
କଳାକୁ ବୁଝାଇ ଥାଏ |
ବାହା ବୟସରେ ଭଲ ବର ଦେଖି
ଝିଅକୁ ସେ ଦାନ ଦିଏ
ବିଦାୟ ମୁହୂର୍ତ୍ତେ ମାଆର ହୃଦୟ
ବର୍ଷା ପରି ଝରିଯାଏ |
ଶାଶୁ ହୁଏ ମାଆ ବାହାଘର ପରେ
ଏତ ଦୁନିଆର ରୀତି
ନିଜ ଝିଅ ସମ ଶାଶୁ ପାରେ ନାହିଁ
ଦେବାପାଇଁ ଭରି ପ୍ରୀତି |
ମଣିଷ ଜୀବନେ ଭୁଲ ହୋଇଯାଏ
ବେଳେ ବେଳେ ଅଜାଣତେ
ବୋହୂର ତ୍ରୁଟି ଯେ କ୍ଷମଣୀୟ ନୁହେଁ
ଦେଖାଯାଏ ବହୁ କ୍ଷେତ୍ରେ |
ମାଆ ସହ କେବେ ତୁଳନୀୟ ନୁହେଁ
ଶାଶୁ ଏହି ଦୁନିଆରେ
ମାଆ ଯେ କଲ୍ୟାଣୀ ଶାଶୁ କିନ୍ତୁ ମାଆ
କୁଣ୍ଠିତ ସେ ମମତାରେ |
ମାଆ ଢାଳିଦିଏ ଶୀତଳ ଜୋଛନା
ଦୁଃଖକୁ ଲାଘବ କରେ
ଶାଶୁ ଆଖି ଲୁହେ ଭରା କୃତ୍ରିମତା
ଥାଏ ସମବେଦନାରେ |
