ବୋଉ
ବୋଉ
ବୋଉ ତୋ ପଣତ ମୋ ମଥା ଉପରୁ
ଯେବେ ଗଲା ଦୁର ହୋଇ
ଚାରିଆଡେ ଖାଲି ବୈଶାଖୀ ଝାଞ୍ଜି
ଖରା ମାରେ ଟାଇଁ ଟାଇଁ ।
ଏଡିକି ଦାରୁଣ ନିଷ୍ଠୁର ମରଣ
ଜାଣି ମୁଁ ନଥିଲି କେବେ
ଜଳିଗଲା ମୋର ସୁନ୍ଦର କୈଶୋର
ତତେ ସେ ଛୁଇଁଲା ଯେବେ ।
ଉଜାଡ଼ିଲା ଅଳି ଅଝଟର ପେଡ଼ି
ସେ କାଳ କରାଳ ଝଡ଼
ତୁଟି ଗଲା ଆଶା ଭରସା ବିଶ୍ୱାସ
ବୁଲିଲା ଜୀବନ ମୋଡ଼ ।
କେତେ ସମ୍ପର୍କରେ ଖୋଜିଲି ମୁଁ ତତେ
ନ ମିଳିଲୁ ମତେ କାହିଁ
ମାଆ ନାହିଁ ଯାର ସାହା ନାହିଁ ତାର
ଏକଥା ଜାଣିଲି ମୁହିଁ ।
ଯେଉଁଠି କି ଗଲି ଖାଁ ଖାଁ ଲାଗେ
ଚାରି ଆଡେ଼ ଭରା ଭୀତି
ଛାତି ତଳ କୋହ ଆଖିରୁ ଖସିଲା
ଲୁହ ହୋଇ ନିତି ନିତି ।
ସମୟ ଗଡିଲା ସଂସାର ଗଢ଼ିଲି
ମୁଁ ଏବେ ହୋଇଲି ମାଆ
ହେଲେ ମୋ ଭିତରେ ଶୈଶବ କାନ୍ଦୁଛି
ପାଇବାକୁ ତୋର ସାହା ।
ଜହ୍ନ ରେ ଅଛୁ କି ବାଦଲ ଫାଙ୍କରେ
ଥରୁଟେ ଦେଖା ତୋ ମୁହଁ
ସରଗ ରାଇଜୁ ପଣତ ଲମ୍ବାଇ
ପୋଛି ଡେ ମୋ ଆଖି ଲୁହ ।
