STORYMIRROR

Mallika singh

Others

4  

Mallika singh

Others

ଆହା କି ସୁନ୍ଦର ସୁନାବେଶେ ମୋ କଳା ଠାକୁର

ଆହା କି ସୁନ୍ଦର ସୁନାବେଶେ ମୋ କଳା ଠାକୁର

1 min
19


ଯାତ୍ରା ସାରି ପ୍ରଭୁ ସିଂହ ଦ୍ଵାର ଆଗେ

 ରଥରେ ଅଛନ୍ତି ଉଭା

କଳା ବଦନ କୁ କନକ ଭୂଷଣ

ଆହା କେଡ଼େ ମନଲୋଭା।


ଆଷାଢ଼ ମାସର ଶୁକ୍ଳ ଏକାଦଶୀ

ତିଥି ମଧ୍ୟେ ଅଟେ ସାର

ଚତୁର୍ଦ୍ଧା ମୂରତି ସୁନାବେଶ ହୋଇ

ଝଟକନ୍ତି ସିଂହ ଦ୍ୱାର ।


ରାଜା କପିଳେନ୍ଦ୍ର ରାଜ୍ୟ ଜୟ କରି

ସୁବର୍ଣ୍ଣ ଆଣିଲେ ବୋହି

ନୀଳାଚଳ ନାଥ ଆପାଦ ମସ୍ତକ

ଅଳଙ୍କାର ଦେଲେ ଛାଇ ।


ସେହି ଦିନ ଠାରୁ ଆରମ୍ଭ ହୋଇଲା

 ନୀଳାଦ୍ରି ଙ୍କ ସୁନାବେଶ

ବଡ଼ ତରାଉ ବେଶ୍ ନାମେ ଖ୍ୟାତ

 ବିମୋହିତ ସାରା ବିଶ୍ବ ।


ସେ ଅରୂପ ଦିବ୍ୟ ରୂପ ବର୍ଣିବା କୁ

ନୁହଁଇ ସମର୍ଥ ମୁହିଁ

ଅଙ୍ଗ ଅଳଙ୍କାର ଭୂଷଣ ବର୍ଣ୍ଣନେ

ଶବ୍ଦ ଖୋଜି ପାଏ ନାହିଁ ।


ସୁବର୍ଣ୍ଣ ଶ୍ରୀଭୁଜ ସୁବର୍ଣ୍ଣ ଶ୍ରୀପଦ

 କନକ କମର ପଟି

ଗଳାରେ ସେବତୀ ନଖ କଣ୍ଠୀ ମାଳ

କରେ କଙ୍କଣ ବାହୁଟି ।


କନକ ଓଢଣି ଆଡକାନି କଣ୍ଠେ

ଘାଗଡା କଦମ୍ବ ମାଳି

ହେମ ପାଟା ପୁଷ୍ପେ ସୁସଜ୍ଜିତ ହୋଇ

ବିରଜନ୍ତି ବନମାଳୀ ।


ସୁବର୍ଣ୍ଣ କିରୀଟ ହସ୍ତେ ସ୍ଵର୍ଣ୍ଣ ଚକ୍ର

ମଧ୍ୟେ ଶୋଭେ ରୌପ୍ୟ ଶଙ୍ଖ

ସ୍ୱର୍ଣ୍ଣ ଆଭୁଷଣେ ମୋ କଳା ଠାକୁର

ଦିଶେ ଗୋରା ଦକ ଦକ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍