ଆସ ପରଂବ୍ରହ୍ମ
ଆସ ପରଂବ୍ରହ୍ମ
ଶ୍ରୀ ମନ୍ଦିର ଏବେ ଖାଲି ପଡ଼ି ଅଛି
ବଡ଼ଦାଣ୍ଡ ମରୁବାଲି
ମୁଦି ରଥ ପଣ୍ଡା ତୁଣ୍ଡ ଶୁଭୁ ନାହିଁ
ଉଠ ଉଠ ପ୍ରଭୁ ବୋଲି ।
କନକ ପଲଙ୍କ ଖାଲି ପଡ଼ିଅଛି
କମଳା ଙ୍କ ଅଙ୍କ ଶୁନ୍ୟ
ରାଗ ଅଭିମାନ ହେଲାଣି ଜମାଟ
ଭଣ୍ଡାରେ ଲାଗୁନି ମନ ।
ଛ ଦିନ କହି ନଅ ଦିନ ହେଲା
ନ ଆସିଲେ ନୀଳମଣି
ପତି ବିରହ ରେ ଦିନ କାଟୁଛନ୍ତି
ଶ୍ରୀ ମନ୍ଦିର ସାଆନ୍ତାଣୀ ।
ତ୍ରିଫଳା ର ଜଳ ହେଉ ନାହିଁ ଲୋଡ଼ା
ମୁଖ ଲାଗି ସ୍ନାନ ପାଇଁ
ଷାଠିଏ ପଉଟି ଭୋଗ ହେଉ ନାହିଁ
ଯେବେଠୁ ଗଲେଣି ସାଇଁ ।
ଜନମ ବେଦୀରେ ଭୁଲି ଗଲ କିବା
ଜୀବନ ଜଞ୍ଜାଳ କଥା
କୋଟିଏ ଭକତ ଚାହିଁ ବସିଛନ୍ତି
ଜଣାଇବେ ନିଜ କଥା ।
ଆସ ପରମବ୍ରହ୍ମ ଫେରି ଆସ ତୁମେ
ବାହୁଡ଼ା ନିକଟ ହେଲା
ଭକତ ତୁମର ହେଲେଣି ଆତୁର
ଖୋଲ ଶ୍ରୀ ମନ୍ଦିର ତାଲା ।।