କାହା ପାଇଁ କବିତା ରଚନା
କାହା ପାଇଁ କବିତା ରଚନା
କିମ୍ପାଇଁ ଭାଇରେ କବିତା ରଚନା
କେହୁ ତ ପଢନ୍ତି ନାହିଁ,
ଲାଗେ ନାହିଁ ଭଲ ଓଡ଼ିଆର ଭାଷା
ପକାନ୍ତି ନଜର କାହିଁ।
ଲଜ୍ୟା ଲାଗେ ତାଙ୍କୁ ଓଡ଼ିଆ ପଢିବା
କହିବାକୁ ମାତୃଭାଷା,
ଇଂରାଜୀ ଭାଷାକୁ ଦିଅନ୍ତି ମହତ୍ତ୍ଵା
ମଣୁ ଥାନ୍ତି ମାତୃଭାଷା।
ଓଡ଼ିଆ ହୋଇଣ କହୁଛି ଇଂରାଜୀ
ସାଜିଛି ଅଂଗ୍ରେଜ ପରା,
ରଙ୍ଗ ପରାଧୀନ ଛାଡ଼ି ନାହିଁ ଦେହୁ
ବଦନେ ଗୁଞ୍ଜୁଛି ସାରା।
ଦେଇ ତିଳାଞ୍ଜଳି ଜନନୀର ଭାଷା
ଇଂରାଜୀ ଭାଷା ଆଦର,
ନିଜ ସଂସ୍କୃତିକୁ ନକରି ଆଦର
ମମି ଡାଡି ପ୍ରୀତି ତାର।
ମା'ଆ ମାତୃଭାଷା ନାହିଁ ଯା ଆଦର
କହିବା କି ଜ୍ଞାନୀ ତାକୁ,
ଗୌରବ କି ଦେବ ଓଡ଼ିଆ ଭାଇଙ୍କୁ?
ଭାଷା ଜ୍ଞାନ ନାହିଁ ତାକୁ।
ଓଡ଼ିଆ ଠାକୁର ପ୍ରଭୁ ଜଗନ୍ନାଥ
ନାମ ଗୁଞ୍ଜେ ବିଶ୍ବ କଣେ,
ଭୁଲୁଛ କିପରି ଉତ୍କଳ ସଂସ୍କୃତି
କିପରି ଓଡ଼ିଆ ଜଣେ।
ସ୍ବାଧୀନ ହୋଇଲ କିମ୍ପା ପରାଧୀନ?
ଶିକ୍ଷାରେ ବିଦେଶୀ କିମ୍ପା?
ଆତ୍ମନିର୍ଭରଟି ହୁଅ ଭାଷା ପାଇଁ
ନିଆ ଶିକ୍ଷା ମାତୃଭାଷା
ତେବେହିଁ ସମ୍ମାନ ମିଳିବ ରାଷ୍ଟ୍ରକୁ
ପଢିବା ଓଡ଼ିଆ ଭାଷା।
