ତୁଟୁ ମନର ଭ୍ରାନ୍ତି
ତୁଟୁ ମନର ଭ୍ରାନ୍ତି
ଦେଖ ମୋର ଘର ଅଟେ ବହୁତଳ
ଏଇ ଦେଖ ମୋର ଦିମିକା ଗାଡ଼ି
ନୁହେଁ ମଫସଲ ରୁହେ ମୁଁ ସହରେ
ଦେହରେ ମୋହର ଲାଗେନା ଧୂଳି ।
ସୁଟ୍ କୋଟଟାଏ ପରିପାଟି ମୋର
ଫରାଟ ଶବଦେ କହେ ଇ°ରାଜୀ
ଆଜି ଦିଲ୍ଲୀ ମୁମ୍ବେଇ କାଲି କୋଲକତା
ବିଦେଶ ଗସ୍ତରେ ଘୂରୁଛି ପୃଥ୍ଵୀ ।
ତାରକା ମଣ୍ଡିତ ବିଳାସୀ ହୋଟେଲ
ଜାତି ଜାତି ସ୍ୱାଦ ଖାଦ୍ୟ ପାନୀୟ
ଖଞ୍ଜା ରହିଥାଏ ମନୋରଞ୍ଜନର
ସକଳ ସୁବିଧା ବିଦେଶୀ ମଦ୍ୟ ।
ରହେ ଶୀତତାପ ନିୟନ୍ତ୍ରିତ ଗୃହେ
ଦିଅଇ ଆରାମ କୋମଳ ଶଯ୍ୟା
ପ୍ରବଳ ଗ୍ରୀଷମେ ବରଫ ପ୍ରାଙ୍ଗଣେ
କରେ ମୁଁ ସ୍କେଟି° ଉଠାଏ ମଜା ।
ନଦୀ ହ୍ରଦ ଜଳେ ବିହରେ ନାବରେ
ଚଳାଏ ଉନ୍ନତ ବାହନ ଭେଳା
କାଟଇ ସମୟ ବିଳାସବ୍ୟସନେ
ସୁଖକର ଅଟେ ଜଳରେ କ୍ରୀଡା ।
ଆହରି ପ୍ରଚୁର ବିତ୍ତ ମୁଁ ପ୍ରମତ୍ତ
କାଟେ ଦିନରାତି ଭୋଗ ଓ ସୁଖେ
ପାଉନାହିଁ କିନ୍ତୁ ମନେ ମୋ ସନ୍ତୋଷ
ରହୁଅଛି ଅବସାଦ ଓ ଦୁଃଖେ ।
ଗତି ମୋ କୁଆଡେ ପାରେ ନାହିଁ ଜାଣି
ଦିଶେ ଚଉଦିଗ ଆଖିକୁ ଶୂନ୍ୟ
ପ୍ରାଚୁର୍ଯ୍ୟ ମଧ୍ୟରେ ଲାଗେ ଖାଲି ଖାଲି
ମିଳେ ନାହିଁ ସ୍ନେହ ପ୍ରକୃତ ପ୍ରେମ ।
ଜଳ ସ୍ଥଳ ନଭ ଚଉଦ ଭୁବନ
ଭ୍ରମି ଭ୍ରମି ତୁଟେ ମନର ଭ୍ରାନ୍ତି
ସରଗ ସୁନ୍ଦର ନିଜ ମାତୃଭୂମି
ମାତାପିତା ସେବା ସ୍ୱଗୃହେ ଶାନ୍ତି ।
