ଦୁହିତା ଜୀବନ
ଦୁହିତା ଜୀବନ
ଝିଅ ଅନ୍ୟ ନାମ ଦୁହିତା ଯେ ହୁଏ
ହୋଇ ଦୁଇକୁଳେ ହିତା
ହୁଏ ମହିୟସୀ ଜନନୀ ସିଏ ଯେ
ମମତାର ଚିର ସ୍ରୋତା |
ବାପଘର ଟେକ ରଖିଥାଏ ସଦା
ଜନମ ଭୂଇଁ ଯେ ତାର
ଶାଶୁଘର ଯଶେ ପୁଲକିତ ହୁଏ
କର୍ମ କରି ନିରନ୍ତର |
କରୁଣାମୟୀ ସେ ସରଳା ତରଳା
ପ୍ରୀତିହୋଇ ଝରିଯାଏ
ପରକୁ ଆପଣା ନିମିଷକେ କରେ
ପବିତ୍ରତା ଭରିଥାଏ |
କୋମଳ ହୃଦୟା ଚିର ପ୍ରେମମୟୀ
ବିଚାରେ ଉଦାରମନା
ସଭିଙ୍କର ପାଇଁ ଭରି ସେ ରଖିଛି
ଅନ୍ତରେ ସମବେଦନା |
କେତେବେଳେ ଶାନ୍ତ କେବେ ଛଳ ଛଳ
ସମୁଦ୍ରର ରୂପ ସମ
ଧରିତ୍ରୀର ସମ ସହିପାରେ ସିଏ
ଜୀବନେ ଦୁଃଖ ଅସୀମ |
ସମାଜ ଆଖିରେ ହେଲେ ବି ଅବଳା
ବାସ୍ତବତା ତାହା ନୁହେଁ
ରାଣୀ ଲକ୍ଷ୍ମୀବାଇ ସମ ବୀରାଙ୍ଗନା
ଅନ୍ୟାୟେ ଜବାବ ଦିଏ |
ପୁରୁଷ ପ୍ରଧାନ ସମାଜରେ ଆଜି
ଦୁହିତା ଯେ ପ୍ରପୀଡ଼ିତା
କେହି ବୁଝେନାହିଁ ନୀରବେ ଭରିଛି
ତା ଅନ୍ତରେ କେତେ ବ୍ୟଥା |
ତଥାପି ଜୀବନେ ଅନ୍ୟ ସୁଖ ପାଇଁ
କରିଥାଏ ସବୁ ତ୍ୟାଗ
ମାଆ ହୋଇ ସିଏ ସନ୍ତାନ ପାଇଁ ଯେ
ଭୋଗିପାରେ ଅନୁଭୋଗ |
ଶାଶୁ ଘର ପାଇଁ ନିଜେ ଜଳି ଜଳି
ଆଲୋକ ରୋଷଣୀ ଜାଳେ
କେବେ ପାଏ ଶ୍ରଦ୍ଧା କେବେ ବି ଯନ୍ତ୍ରଣା
ଭୋଗିଥାଏ ମନ ତଳେ |
କେଉଁ ଗାଆଁରେ ତା ଏନ୍ତୁଡ଼ିର ନିଆଁ
କାନ୍ଥେ ଗଢ଼ା ଷଠିଘର
ଶାଶୁଘର ଗାଆଁ ମଶାଣି ଭୂଇଁଟା
ଶେଷ ଠିକଣା ଯେ ତାର |