ମା ଓ ଶାଶୁ
ମା ଓ ଶାଶୁ
ଦୁନିଆର ଖେଳେ ଜୀବନଟି ଚଳେ
ସମ୍ପର୍କ ଡୋରିରେ ଛନ୍ଦି
ବାପ ଘରେ ମାଆ ସ୍ୱାମୀ ଘରେ ଶାଶୁ
ନିବିଡ଼ ବନ୍ଧନେ ବାନ୍ଧି ।
ଉଦାସ ବଦନ ଦେଖି ମାଆ ମନ
ଅଜଣା ଆତଙ୍କେ ଭାସେ
ଶାଶୁ ଯେବେ ଦେଖେ ବୋହୁର ମୁଖକୁ
ମୁହଁ ମୋଡି ଦେଇ ହସେ ।
ସେନେହ ପରଷି ପାଶେ ବସି ମା'
ଭୁଞ୍ଜାଏ ଯେ ପେଟ ଭରି
ଏଣେ ଶାଶୁ ମାଆ ବୋଲଇ ବଚନ
ଖାଇଛି ସେ ଚୋରି କରି ।
ଆଖି ଲୁହ ଆଖି ପିଇ ଯାଉ ଥାଏ
ପ୍ରାଣରେ ନିରବ ବାସ
ଓଢ଼ଣୀ ତଳରେ ଯାତନା ଲୁଚାଇ
ବଧୂ ରୂପେ ମିଥ୍ୟା ହସ ।
ଶାଶୁ ଆଚରଣ ସୁଦ୍ଧ ହୋଇ ଥିଲେ
ଜରା ବେଳ ଯିବ ସୁଖେ
ନଚେତ୍ ସମୟ ବୃଦ୍ଧାଶ୍ରମେ ନେବ
ଦିନ ଚାଲୁ ଥିବ ଦୁଃଖେ ।
ଆପଣା ତନୁଜା କଷ୍ଟ ଭୋଗ କଲେ
ମାତା ନପାରଇ ସହି
ବଧୂ କିବା ନୁହେଁ କାହାର ଦୁହିତା
ବୁଝ ନାହିଁ କାହିଁ ପାଇଁ ।
ସାରା ଦୁନିଆରେ ସକଳେ ନୁହଁନ୍ତି
ଶାଶୁ ନାମେ କଳଙ୍କିତ
ପୁତ୍ର ବଧୂକୁ ଯେ ଗୃହ ଲକ୍ଷ୍ମୀ ଭାବି
ହେଉ ଥାନ୍ତି ଆନନ୍ଦିତ ।
ଆଶା ସବାରିରେ ମନକୁ ସଜାଡି
ବୋହୂ ଆସି ଥାଏ ଘରେ
ସ୍ନେହ ସନମାନେ ଆଦରି ରଖିବ
ଆଉ ସବୁ କର୍ମ ପରେ ।
