STORYMIRROR

Sarojini Mishra

Abstract

4  

Sarojini Mishra

Abstract

କୋଟି ତାରାମେଳେ ଗୋଟିଏ ଚାନ୍ଦ

କୋଟି ତାରାମେଳେ ଗୋଟିଏ ଚାନ୍ଦ

2 mins
33


ନୀଳ ଆକାଶ ରେ ସ୍ଵର୍ଣ୍ଣମୟ ଛିଟା
ତାରାଫୁଲେ ସଜା ଆକାଶ ବୁକୁ
ଚ଼ାନ୍ଦଟି ତା ମଧ୍ୟେ ଦିବ୍ୟତା ଭରଇ
ଆଲୋକ ପରଶି ତୋଷେ ସଭିଙ୍କୁ । ୧

ଟିମ୍ ଟିମ୍ ତାରା ଶୋଭା ଉଆସରେ
ଚାନ୍ଦିନୀ ବରଷେ ଆଲୋକ ବିଭା
ତାରା ଫୁଲେ ସିନା ଆଖି ଲାଖି ଯାଏ
ନାହିଁ ତା ନିଜର ଜ୍ୟୋତି ପ୍ରତିଭା । ୨

ସୁନ୍ଦରତା ସିନା ମନ ମୋହି ନିଏ
ଚନ୍ଦ୍ରମା କିରଣ ହୃଦୟ ଛୁଏଁ
ଶୀତଳତା ଦାନେ ତୋଷ କରୁଥାଇ
ହୃଦୟେ ଭାବର ଉଦ୍-ବେଳ ହୁଏ ।୩

କୋଟିଏ ତାରାରେ ନଭ ବିରାଜିତ

ଧରଣୀରେ ଅମା ଅନ୍ଧାର ଛୁଟେ
ଗୋଟିଏ ଜହ୍ନରେ ଅନେକ ସପନ

ଆଲୋକେ ଧରଣୀ ଉଜ୍ଜଳି ଉଠେ | ୪

କୋଟିଏ ପୁତ୍ରରେ ପରିବାର ପୁରେ
ସୁଗୁଣ ନଥିଲେ ସବୁ ଅସାର
ଗୋଟିଏ ସନ୍ତାନ ସୁଯୋଗ୍ୟ ହୋଇଲେ
ଘର ଠୁ ସଂସାର ହୁଏ ଉଦ୍ଧାର ।୫

କୋଟିଏ ତାରାରେ ନଭ ବିମଣ୍ଡିତ
ସୂରଜ ତାହାର ସୌନ୍ଦର୍ଯ୍ୟ ଧାରା
ଚନ୍ଦ୍ରମା ଶୀତଳ ରୂପ ଚାରୁଶୀଳ
ଶୀତଳତା ଦାନେ ହୁଏ ମଧୁରା |୫

ବଗିଚାରେ  ଶହ ଶହ ପୁଷ୍ପ ଫୁଟି ସିନା
ପଥିକର ଚକ୍ଷୁ ହରଣ କରେ
ବାସ ନ ଥିଲେ ତା କିଏ ମନେ ରଖେ
ବାସ ଚହଟିଲେ ଦୁନିଆ ଭରେ ।୬

ହଜାରେ ବନ୍ଧୁର ତାଲିକା ଥାଇ ବି
ଦୁଃଖେ ସୁଖେ ଯଦି ପାଶେ ନଥାଏ
ଅଶାନ୍ତ ମନରେ ପ୍ରେମ ସୁଧା ଦେଇ
ଶାନ୍ତ କରିବାର ଇଚ୍ଛା ନ କରେ ।୭

ଗୋଟିଏ ବନ୍ଧୁଟେ ଉତ୍ତମ ହୋଇଲେ
କୁପଥୁ ସୁପଥ ଦେଖାଇ ଥାଏ
ମନର ଜ୍ବାଳାରେ ଶୀତଳ କିରଣ
ଦାନ କରି ସିଏ ଶ୍ରେଷ୍ଠତ୍ଵ ପାଏ ।୮

କୃଷ୍ଣ ଭଳି ସଖା ଚନ୍ଦ୍ରମା ସଦୃଶ
ସର୍ବାନ୍ତ କରଣେ ପ୍ରୀତି ବରଷେ
ଜୀବନ ଆକାଶେ ସୁଧାବାରି ଢାଳି
ମନ ବିବେକକୁ ଉଠାଇ ବସେ |୯

ଚନ୍ଦ୍ରମା ବିଧୌତ  ଧରଣୀ ବୁକୁରେ
ଶାନ୍ତିର ସଉଧ ଗଢ଼ି ଉଠଇ
ମନ ଗହନରେ ଆନନ୍ଦର ଧାରା
କବିର କବିତା କଥା କହଇ ।୧୦

ଏ ଦେଶ ବୁକୁରେ କୋଟି କୋଟି ଜନ
ସଭିଏଁ କି ମହାପୁରୁଷେ ଲେଖା
ଏ ଦୁନିଆ ପାଇଁ ଦିଅନ୍ତି ବାରତା
ଗ୍ରହଣ କରିଲେ ଜଳଇ ଶିଖା । ୧୧

ତାରା ସୂର୍ଯ୍ୟ ଙ୍କର ଆଲୋକ ଗ୍ରାହକ
ସୌନ୍ଦର୍ଯ୍ୟ ବିଭାରେ ନଭ ମଣ୍ଡଇ
ଗ୍ରହଣ ନକଲେ ତାରା କି ହସନ୍ତେ
ଜହ୍ନ ଵଗିଚା କି ପାରନ୍ତା ପୁରି । ୧୨

ତାରା ମେଳେ ଚାନ୍ଦ ଦିଏ ସୁଧାବାରି
ଚେତନାରେ ଉଠେ ଦିବ୍ୟ ଲହରୀ
ଚିକ୍ ମିକ୍ ତାରା ପ୍ରୀତି ବାଣ୍ଟୁ ଥାଏ
ଗ୍ରହଣୀୟତା ର କଥା ଉଚାରି । ୧୩

କୋଟିଏ ତାରାରେ ଗୋଟିଏ ଚାନ୍ଦ ଯେ
ଧରଣୀକୁ ପୁତ ପାବନ କରେ
କୋଟି ଜନତାରେ ଗୋଟିଏ ସୁପୁତ୍ର
ଦେଶ ଜାତି ମାନ ସମ୍ଭାଳି ଧରେ ।୧୪

ଗୋଟିଏ ଚାନ୍ଦରେ କୋଟି କୋଟି କଇଁ
ପ୍ରେମାପ୍କୁତ  ହୋଇ ସରସୀ ମଣ୍ଡେ
ଦିବ୍ୟ ଭାବ ଭରି ଚ଼ନ୍ଦ୍ରମା ହସଇ
ତାରା ଫୁଲଙ୍କୁ ସେ ନ ଛାଡ଼େ ଦଣ୍ଡେ । ୧୫

ଦିବ୍ୟ ଚେତନାର ଦିବ୍ୟ ଭାବଯୁକ୍ତ
ଚନ୍ଦ୍ରମା ସଙ୍ଗରେ ତାରାଙ୍କ ମେଳ
ଅପୂର୍ବ ଆବେଗ ଚିରନ୍ତନ ଭାବ
ସନ୍ଥ ସଙ୍ଗେ ବାସ ଆଦର ଖେଳ । ୧୬

ଜୀବନ ଯାତ୍ରାରେ ଆଲୋକ ଦାନରେ
ଶୀତଳ ପରଶ ମହତ୍ କଳା
ସନ୍ଥ ସଙ୍ଗେ ବାସ ଭରଇ ସୁବାସ
ଗୁଣୀ ଜନେ ଗଣା ନ ପାଏ ହେଳା । ୧୭



Rate this content
Log in

Similar oriya poem from Abstract