ଦେଖିଛି ତୁମକୁ
ଦେଖିଛି ତୁମକୁ
ତୁମ ଦାୟିତ୍ୱବୋଧର ନିଷ୍କପଟ ମାନତ୍ରରେ
ଭୂମି ରୂପ ମାନଙ୍କୁ ଦେଖି ବୁଝି ପାରୁଥିଲି
ତୁମ ଅଗମ୍ୟ ଯାତ୍ରାର କାହାଣୀ -
ଦେଖି ପାରୁଥିଲି ତୁମ ଯାତ୍ରାର
ବନ୍ଧୁର ଆଉ ଖସଡ଼ା ଭୂମି ରୂପକୁ
ଅନୁଭବ କରି ପାରୁଥିଲି
ମେଘ ଢ଼ଙ୍କା ଅବସାଦ ମାନଙ୍କର ଭାଷା
ଉଠାଣି ଆଉ ଗଡାଣି ପଥରେ
ତୁମେ ଆଗେଇ ଚାଲି ଥିଲ
ଅବସାଦ ମାନଙ୍କୁ ପାଦରେ ଆଡେଇ ।
ଦେଖି ପାରୁଥିଲି ସମ୍ପର୍କର ସୂତା ଖିଅ ମାନଙ୍କର
ଛନ୍ଦା ଛନ୍ଦି କୋଳାହଳ
ଆଉ ଦେଖି ପାରୁଥିଲି-
ସେଇ ସୂତା ଖିଅ ମାନଙ୍କୁ ସଜାଡିବାର
ଅଦମ୍ୟ ପ୍ରଚେଷ୍ଟା ।
ମୁଁ ଦେଖି ପାରୁଥିଲି
କର୍ତବ୍ୟର କୋଥଳୀରେ ଗଣ୍ଠି ପଡ଼ିଥିବା
ଆଶ୍ୱାସନା ବିହୀନ ଯନ୍ତ୍ରଣା ମାନଙ୍କୁ
ହେଲେ,
ପଛକୁ ହଟିବା କାହିଁ ଦେଖିନି ।
ମୁଁ ଦେଖି ପାରୁଥିଲି
ତୁମ ଧୈର୍ଯ୍ୟର ଛୋଟ ଟେକାଟିଏ
ପଥର ହୋଇ ଯିବାର ରୂପରେଖକୁ
ଦେଖିଛି ବି ତୁମ ପରମ ତ୍ୟାଗର
ନିଶ୍ଚୁପ ମନ୍ଦିରରେ
ସନ୍ତୋଷର ଶଙ୍ଖ ଧ୍ୱନି ରେ
ବିମୋହିତ ହେବା |
ଦେଖିଛି ବି ତୁମକୁ
ଅକଥନୀୟ ମାନସିକ ଯନ୍ତ୍ରଣାରେ
ମନ ମାନଚିତ୍ରକୁ
ସ୍ପଷ୍ଟ କରିବାର--
ଦେଖିଛି ବି ଅପମାନର ଶରଶଯ୍ୟାରେ
ଶୋଇ ରହି
କ୍ଷମା କରି ଦେବାର
ତୃପ୍ତ ଇଲାକାକୁ |
ଆଉ ଦେଖିଛି ତୁମକୁ
ଦେଇ ଦେଇ ନିଃସ୍ଵ ହୋଇ ଯିବାର
ଆଉ -
ନିଃଶ୍ଵତା ରେ ମିଷ୍ଟତାର
ଆତ୍ମତୃପ୍ତି ମାନଙ୍କର
ଶାନ୍ତି ଉପବନ ।
ଦେଖିଛି ତୁମକୁ ଦୁରୁ
ନିଜକୁ ସଜାଡୁ ଥିବାର
ସ୍ଵତନ୍ତ୍ରତା ଭିତରେ
ଆଉ ଦେଖିଛି ବି ତୁମକୁ
ଆଶା ବିହୀନ କର୍ମରେ
ଶାନ୍ତିର ମହଲ ।
ଦେଖିଛି ମୁଁ ଧୈର୍ଯ୍ୟର ଶିଳାଟେ ହୋଇ
ଅନ୍ୟ ପାଇଁ ଉଦାହରଣ ସାଜିବାର
ଦେଖିଛି ବି ତୁମର ସଂଘର୍ଷର କ୍ଷେତ୍ର
ଆଉ -
ସାହସର ଅମୋଘ ଅସ୍ତ୍ରକୁ ।
ହେଲେ - !
ହେଲେ ଆଜି ମୁଁ ଦେଖୁଛି
ମନୋଭୂମି ଟଳମଳ
ଧୈର୍ଯ୍ୟର ଶିଳାଟି ସତେ ଯେମିତି
ଭୂମିରୂପ ବଦଳାଇ ଅଛି -
ଶୁଣି ପାରୁଛି ସେ ଶିଳାଟିର
ଅବକ୍ଷୟ ସ୍ଵର
ଆଉ,
ମତେ ଲାଗୁଛି
ତୁମର ଆତ୍ମ ସମ୍ମାନର ଗଳିରେ
ସତେ ଯେମିତି ପ୍ରଚଣ୍ଡ ଝଡ ଉଠିଛିି
ଅନୁଭବ ହେଉଛି
ଆତ୍ମ ସମ୍ମାନ
ଧିକ୍କାର ମାନଙ୍କ ଚାପରେ
ତଳି ତଳାନ୍ତ ହୋଇ
ଲୁହ ଢ଼ାଳୁଛନ୍ତି-
ଆଉ ତୁମେ -
ଚାହୁଁ ଅଛ ମୁକ୍ତି |
