STORYMIRROR

Sarojini Mishra

Tragedy

4  

Sarojini Mishra

Tragedy

ଶେଷ ସ୍ମୃତି

ଶେଷ ସ୍ମୃତି

3 mins
15


ଶେଷ ସ୍ମୃତି ବୋଲି କାହାକୁ କହିବି
ସ୍ମୃତି ରାଇଜରେ କରିଛି ଘର
ଜୀବନ ବେଦର ମଧୁ ମୂର୍ଚ୍ଛନା ତ
ହୋଇଅଛି ଆଜି ପର ଠୁ ପର । ୧


ପଲ୍ଲୀ ଜୀବନର ଉଷା ଉଦାସୀନ
ଶଙ୍ଖ ଧ୍ଵନୀ ପଥ ଭୁଲି ଯାଇଛି
ଶୁଭ ସକାଳ ରେ ଚଉରା ମୂଳରେ
ଶୁଭ ମନାସିବା ପଥ ହୁଡ଼ିଛି । ୨


ଯୌଥ ନିଳୟର ତ୍ୟାଗର ବଳୟ
ମମତା ଝରଣା ଶୁଷ୍କ ହୋଇଛି
ଶେଷ ସ୍ମୃତି ହୋଇ ପବିତ୍ର ସଂସ୍କାର
ମନ ମାନସରେ ସତେ ଲୁଚିଛି ।୩


ମାଟି ହାଣ୍ଡି ବାସ କାଠ ଚୁଲି ରନ୍ଧା
ଶିଳ ଶିଳପୁଆ ଗଡ଼ି ମରୁଛି
ନିରଳସ ସେବା ମମତା ମୁକୁତା
ତ୍ୟାଗର ବଳୟ ଛିଣ୍ଡି ଯାଇଛି । ୪


ପତର ଜାଳରେ ଧାନ ସିଝା ଦିନ
ମାଆ ମୁହେଁ ତୃପ୍ତି ହସ ତ ନାହିଁ
ଆବେଗ ବୋଳା ତା ପଣତ କାନିରୁ
ସ୍ୱତନ୍ତ୍ର ବାସନା ଝରୁଛି କାହିଁ ।୫


ବଡି ସକାଳର ଘର ପାଇଟି ଟା
ସମୟ ଜ୍ଞାନ ହରାଇ ବସିଛି
ପାଇଟି ସମୟେ ବେତାର ବନ୍ଦନା
ଶେଷ ସ୍ମୃତି ହୋଇ ରହି ଯାଇଛି । ୬


ଗାଁ ଦାଣ୍ଡେ ଭିଡ଼ ପାର୍ବଣରେ ନାହିଁ
ଚଳଚିତ୍ର ଦେଖା ସ୍ମୃତି ହୋଇଛି
କଳା ଧଳା ଚିତ୍ର ଶେଷ ସ୍ମୃତି ହୋଇ
ମନ ଅଗଣାରେ ଘୁରି ବୁଲୁଛି । ୭


ବେତାର ଯନ୍ତ୍ର ସୁଗମ ସଂଗୀତ
ଯୁବବାଣୀ ଗାଥା ଆଉ ଶୁଭୁନି
ଭଙ୍ଗା ରେଡିଓ ଟା ଶେଷ ସ୍ମୃତି ହୋଇ
ଜୀବନ ସୀମାରେ କାନ୍ଦେ ବାହୁନି | ୮


ବୋହୁ ଚୋରୀ, ପୁଚ଼ି, ବାଗୁଡ଼ି ଖେଳର
ଦାଣ୍ଡରେ ଯାତରା ଶୂନ୍ୟ ହୋଇଛି
ଗୁଆ ବରଡାରେ ରାସ୍ତା ପରିକ୍ରମା
ମନ୍ତ୍ର ମୁଗ୍ଧ ବେଳା ହଜି ଯାଇଛି । ୯


ଲଣ୍ଡନ, ଡିବିରି ଆଲୁଅରେ ପଢ଼ା
ଘୁମେଇ ପଡ଼ିବା ମନୋ ବେଦନା
ଶେଷ ସ୍ମୃତି ଆଜି ଢ଼ିଙ୍କି କୁଟା ଚୁଡା
ହାଣ୍ଡି ଉଖୁଡାର ଶୁଦ୍ଧ ବାସନା । ୧୦


ତାଟି ଶଗଡ଼ରେ ମାମୁଁ ଘର ଯିବା
ବଳଦ ବେକର ଘଣ୍ଟି ଘାଗୁଡି
ପାଲିଙ୍କି ସବାରୀ ପୁନେଇ ପରବ
ଛନ୍ଦ ହରା ମନୋଚେତନା କଡ଼ି । ୧୧


ମଗୁଶୁର କାନ୍ତେ ଝୋଟି କଳାକୃତି
ସମୟ ସୁଅରେ ହୋଇଛି ଲୀନ
ମାଟି ଲିପା କାନ୍ଥ ନଡ଼ା ଛପରଟା
ଶେଷ ସ୍ମୃତି ହୋଇ ଦିଶେ ମଳିନ । ୧୨


ଜହ୍ନି ଓଷା ଗୀତ ମାସକର ବ୍ରତ
ଆବେଗ ଭରା ସେ ଜୀବନ ରଙ୍ଗ
ପୁନେଇ ପରବ ଭାର ଶାଇ ବାଣ୍ଟ
ଅନ୍ତରଙ୍ଗ ଭାବ ଆଜି ନିଃସଙ୍ଗ । ୧୩


ଗାଁ ସଡ଼କର ନିସ୍ତବ୍ଧ ଚ଼େତନା
ବୃକ୍ଷରାଜି ଙ୍କର ଅପୂର୍ବ ମେଳ
ଘର ବାଡି ଡିହେ ଲଙ୍କା, ବାଇଗଣ
ପରିବା ମାନଙ୍କ ନାହିଁ ଗହଳ ।୧୪

 
ଗାଁ ପୋଖରୀ ତ ବାହୁନି କାନ୍ଦୁଛି
ବୋହୂ ଭୁଆଷୁଣୀ ଭିଡ଼ ଜମୁନି
ରାତି ପାହାନ୍ତାର ପବିତ୍ର ଚେତନା
ଗାଁ ଠୁ ସହର କାହିଁ ମିଳୁନି । ୧୫


ନିଷ୍କପଟ ଭାବ ସହଯୋଗ ହାତ
ପଡ଼ିଶା ଘରର ମୃଦୁ କାନ୍ଦଣା
ସେ କାଳ ପଖାଳ ଶେଷ ସ୍ମୃତି ଟିଏ
ହେବ ନାହିଁ କେବେ ତାହା ଭରଣା । ୧୬


ଜେଜେ ବାପାଙ୍କର ବଙ୍କୁଲୀ ବାଡିଟା
ପାନଖିଆ ଓଠ ହସ ତ ନାହିଁ
ସବୁ ସହଜରେ ଅସହଯୋଗ ଟା
ଡେଣା ମେଲି ଦୁଃଖ ଆଣୁଛି ବାହି । ୧୭


ଅସରନ୍ତି ସ୍ମୃତି ଚିତ୍ର ମନ ଭରା
ଶୈଶବ ପଖଳା ମନଟା କାହିଁ
ଆସକ୍ତି, ବିରକ୍ତି , ତୁଳନାର ଗତି
ମଉଳା ମୁହଁରେ ହସ ତ ନାହିଁ ।୧୮


ସଂସ୍କୃତି ପଖଳା ପରପରା ଖଳା
ତୃପ୍ତି ଝରଣାରେ ଉତ୍ସର୍ଗ ମନ
କୃଷକ ଭାଇର ହଳ ଦିଶୁ ନାହିଁ
ଯାହା ଅଛି ତାହା ଆଣେ ଦୁର୍ଦ୍ଦିନ । ୧୯


ଦୁଇ ପଇସାର କିଣା ବିକା କଳା
ମନୋଚେତନ ରେ ବନ୍ଦୀ ହୋଇଛି
ହାତ ଚ଼ିଠା ନାହିଁ ବଜାର ବୁକୁରେ
କିଣା ବିକା ସିଦ୍ଧ କରା ହେଉଛି । ୨୦


ସ୍ମୃତିର ପସରା ଅଟଇ ଅସରା
ସବୁ ଶେଷ ସ୍ମୃତି ହୋଇ ଯାଇଛି
ଭାଗବତ ଟୁଙ୍ଗୀ ସଂସ୍କାରର ସେତୁ
ଅନ୍ତର୍ମନେ ସତେ ଦୀପ ଜାଳୁଛି । ୨୧



Rate this content
Log in

Similar oriya poem from Tragedy