ସାଧବ ବୋହୂ
ସାଧବ ବୋହୂ
ଆଷାଢ଼ ଡାକିଲା ମେଘ ଉହାଡରେ
ବରଷାକୁ ହାତ ଠାରି
ବାରିଦ ବରଷି ମାଟିକୁ ପରଶି
ଦେଇ ଗଲା ସୁଧା ବାରି । ୧
ତୃଷ୍ଣା ମେଣ୍ଟିଗଲା ବାସ୍ନା ମହକିଲା
ମାଟିର ସବୁଜ ଶାଢୀ
ହାତ ଠାରି ଡାକେ ସାଧବ ବୋହୁକୁ
ତା ସୌନ୍ଦର୍ଯ୍ୟ ଯିବ ବଢ଼ି । ୨
ଲାଲ୍ ଟୁକୁ ଟୁକୁ ସାଧବ ବୋହୂଟି
ମଖମଲି ପାଟ ପିନ୍ଧି
ପ୍ରକୃତି ରାଣୀର ସବୁଜ ପଣତେ
ଧୀରେ ଚାଲେ ପ୍ରୀତି ବାନ୍ଧି । ୩
ନାଲି ପାଟ ପିନ୍ଧି କୋମଳ ଭାବ ରେ
ଧୀର ନମ୍ର ତାର ଚାଲି
ପ୍ରୀତି ବାଣ୍ଟିବାକୁ ସତେ କି ଅପ୍ସରୀ
ଆସିଛି ସରଗ ଭୁଲି । ୪
ବରଷାରେ ଭିଜେ ସବୁଜ ଗାଲିଚା
ଦୁଃଖ କାତର ନହୁଏ
ନମ୍ର କମ୍ର ରୂପ ଦୃଢ଼ ମନ ସ୍ଥିତି
ତା ଉପମା ବାଣ୍ଟୁ ଥାଏ ।୫
ମନ୍ଥର ତୋ ଗତି ମନେ ନାହିଁ କ୍ଳାନ୍ତି
ସତେ ଗୃହଲକ୍ଷ୍ମୀ ଟିଏ
ସୁନା ବୋହୂ ପରି ସର୍ବେ ଖୁସୀ ବାଣ୍ଟୁ
ଆତ୍ମ ମଗ୍ନା ବୋହୂଟିଏ ।୬
ସବୁଜ ଚାଲିଚା ସୌନ୍ଦର୍ଯ୍ୟ ମଣ୍ଡିତ
ତୋ ରୂପ ମାଧୁରୀ ଭିନ୍ନ
ତୋ ପରି କେହି ତ ଦିଶୁ ଯେ ନାହାନ୍ତି
ତୋ ଉପମା ରକ୍ତବର୍ଣ୍ଣ ।୭
କେଉଁଠି ବା ଥାଉ ବରଷ ସାରା ତୁ
ତୋ ଠିକଣା ଯେ ଅଜଣା
ଆଷାଢ଼ ଅଳିନ୍ଦେ ବାରି ମକରନ୍ଦେ
ଧୀର ପାଦେ ଅବତୀର୍ଣ୍ଣା ।୮
ତୋ ସୁନ୍ଦର ରୂପ କାନ୍ତି ଅପରୂପ
ପ୍ରକୃତି ଅପୂର୍ବ ଆଭା
ଧରା ପୃଷ୍ଠେ ଆସି ସ୍ଵଳ୍ପ ସମୟରେ
ବାଣ୍ଟୁ ଆନନ୍ଦର ବିଭା ।୯
ସୌନ୍ଦର୍ଯ୍ୟ ମାଧୁର୍ଯ୍ୟେ ପ୍ରକୃତି ବକ୍ଷରେ
ମୃଦୁ ପଦ ପାତ ନେଇ
ଅବଗୁଣ୍ଠନରେ ପ୍ରକୃତି ରାଣୀକୁ
ବନ୍ଦାପନା କରୁ ତୁହି । ୧୦
ନବ ଦୁର୍ବାଦଳେ ସବୁଜତା ଖେଳେ
ତୋ ଉପସ୍ଥିତି ଅନନ୍ୟ
ସଭିଙ୍କୁ କରୁ ତୁ ଆକର୍ଷିତ ପରା
ତୁହି ଅଟୁ ପରା ଧନ୍ୟ । ୧୧
ତୋ ନିରବ ଯାତ୍ରା ଦିଅଇ ବାରତା
ଅବିଚଳିତ ଚେତନା
ତୁହି ଅଟୁ ପରା ସୁନା ବୋହୂଟିଏ
ତୁ ଯେ ଗୃହର ଗହଣା । ୧୨
ନିଶ୍ଚଳ ନୁହଁ ତୁ ଅଟଳ ତୋ ଭାବ
ଧରଣୀ ମଣ୍ଡିବା କାର୍ଯ୍ୟ
ମନରେ ସଂଚାରୁ ଶାନ୍ତିର ଝରଣା
କବି ଲେଖନୀ ବୈଦୁର୍ଯ୍ୟ ।୧୩
ବରଷା ପଡ଼ିଲେ ତୋତେ ମୁଁ ଖୋଜଇ
ସବୁଜ ଘାସ ବୁକୁରେ
କାହିଁ ହଜିଗଲୁ ତୋ ଦେଖା ପାଉନି
ତୋ ସୌନ୍ଦର୍ଯ୍ୟ ପରା ଘାରେ । ୧୪
ପରିବେଶ ତୋତେ ନିର୍ଯ୍ୟାତିତ କରି
ଘଉଡାଇ କି ଦେଇଛି
ତୋ ସବୁଜ ଘରେ ନିଆଁ ଜଳୁ ଅଛି
ମଣିଷ କିବା ବୁଝୁଛି ।୧୫
ବିଲୁପ୍ତ ତୋହର ପ୍ରଜାତି ଲୋ ବୋହୂ
ଆଷାଢ଼େ ଦହନ ଜ୍ବାଳା
ଋତୁ ମାନେ ତାଙ୍କ ରାସ୍ତା ଭୁଲୁ ଛନ୍ତି
ପ୍ରଦୁଷଣ ର ଝାମେଲା ।୧୬
ମୁଁ ଜାଣିଛି ଆଲୋ ସାଧବ ବୋହୂ ତୁ
ଅଣନିଃଶ୍ଵାସୀ ହୋଇଛୁ
ତୋ ଶାନ୍ତ ସ୍ୱଭାବ କୋମଳ ଆଭାକୁ
ତପ୍ତାଞ୍ଚଳେ ନା ଛାଡୁଛୁ ।
