STORYMIRROR

Sarojini Mishra

Classics

4  

Sarojini Mishra

Classics

ତୋ କଳା ରଙ୍ଗରେ ଭିଜେଇ ଦେ

ତୋ କଳା ରଙ୍ଗରେ ଭିଜେଇ ଦେ

1 min
15

କାଳିଆ ରେ ମୋର କଳା କାଇଁଚ଼ରେ
କଳାନିଧି କଳା କହ୍ନାଇ ମୋର
ତୋ କଳା ରଙ୍ଗ ରେ ଭିଜାଇ ଦେଏରେ
ମନୁ ଲିଭି ଯାଉ କଳା ଜୁଆର ।୧

ଷୋଳ କଳା ନେଇ ଲୀଳା ଲଗାଇଛୁ
କଳାରଙ୍ଗ ସତେ କେଡ଼େ ସୁନ୍ଦର
ସେ କଳା ରଙ୍ଗକୁ ମୋ ଦେହେ ବୋଳି ଦେ
ଦେହ ହୋଇ ଯିବ ପବିତ୍ର ମୋର ।୨

କାଳିଆ ତୋ କଳା ରଙ୍ଗ ଟିକେ ଦେଏ
ଆଖିର କଜଳ କରି ନାଇବି
ସେ ଆଖିରେ ଯାହା ଦେଖିବି କାଳିଆ
ତୋ ହାତରେ ଗଢ଼ା ମୁଁ ଭାବୁଥିବି ।୩

ସେ କଜଳ ମାଖି ସୁଗୁଣ ଦେଖିବି
ଜୀବନ ଯଜ୍ଞରେ ଲଗାଉ ଥିବି
ଆଖିରେ ଆଖିଏ ଦରଦ ଭରି ମୁଁ
ଦରଦୀ ମଣିଷ ହୋଇ ମୁଁ ଯିବି ।୪

କାଳିଆ ରେ ତୋର କଳା ମାଖି ହୋଇ
ଜଗତ ହିତର କଥା ଭାବିବି
ତୋ କଳା ରୁ ସୂତେ ହୃଦୟରେ ବୋଳି
ହୃଦୟକୁ ଦିବ୍ୟ ଚେତନା ଦେବି ।୫

କାଳିଆ ତୋ କଳା ବରଷି ଦେଏ ରେ
ମନ କୁ ମୋହର ଭିଜାଇ ଦେବି
ମନ ମଇଳା ତ ଧୋଇ ହୋଇ ଯିବ
କଳା ମାଣିକ ତୋ ପ୍ରିୟ ହୋଇବି | ୬

କାଳିଆ ତୋ କଳା ତୋର ଚକାଡୋଳା
କଳା ରଙ୍ଗେ ତୋର କି ଆକର୍ଷଣ
ତୋ କଳାରୁ ଟିକେ ଦେଏ ରେ କାଳିଆ
ହୋଇଯିବ ମୋର ଜୀବନ ଧନ୍ୟ ।୭

କାଳିଆ ତୋ କଳା ଚିମୁଟାଏ ଦେଏ
ଆତ୍ମ ଚେତନାକୁ ରଙ୍ଗାଇ ଦେବି
କଳା ଘନ ରାତି ସମସ୍ୟା ଅତିଥି
ସବୁକୁ ସାଦରେ ଆଦରି ନେବି ।୮

କାଳିଆ ତୁ କଳା ବରଷି ଯାଆରେ
ଦେହ ମନ ମୋର ଭିଜି ତ ଯାଉ
ଭାବର ଲହରୀ ଅଭାବି ସଂସାରେ
ଜୀବନ ଜୀଇଁବା କଳା ଶିଖାଉ ।୯
 
ଆରେ କାଳିଆ କଳା ମେଘ ହୋଇ
ମନ ଅଗଣା ରେ ବରଷି ଯାଆ
ଧୋଇ ହୋଇଯାଉ ମନର କାଳିମା
ପ୍ରୀତି ଫୁଲେ ମଣ୍ଡି ଉଠୁ ଅଗଣା ।୧୦
 


Rate this content
Log in

Similar oriya poem from Classics