ସଂସ୍କାର, ସଂସ୍କୃତି ଓ ସାହିତ୍ୟ
ସଂସ୍କାର, ସଂସ୍କୃତି ଓ ସାହିତ୍ୟ
ସଂସ୍କାର ଶବ୍ଦଟି ଅତିବ ମହାନ
ମାତୃ ଗର୍ଭୁ ତା ଆରମ୍ଭ
ସଂସ୍କାର ବୀଜଟି ପରିବାରେ ପୁଷ୍ଟ
ଦିବ୍ୟ ତାର ମହାଭାବ । ୧
ଦିବ୍ୟ ମନୋଭାବ ମାନବତା ଗନ୍ଧ
ଦିବ୍ୟ ଗୁଣେ ପରିପୁଷ୍ଟ
ଦୟା, କ୍ଷମା, ତ୍ୟାଗ,ଧୈର୍ଯ୍ୟର ମାଲିକ
ମାତା ପିତାଙ୍କ ଠୁ ସୃଷ୍ଟ । ୨
ଜୀବନର ଶ୍ରେଷ୍ଠ ମୂଳଦୁଆ ପରା
ବ୍ୟକ୍ତିତ୍ଵ ଗଠନ ମନ୍ତ୍ର
ସେହି ମୂଳଦୁଆ ପରେ ଜୀବନର
ପ୍ରାସାଦ ହୁଏ ସ୍ୱତନ୍ତ୍ର । ୩
ସେ ମୂଳ ଦୁଆରେ ଶିକ୍ଷାର ମନ୍ଦିର
ସୌମ୍ୟ ରମ୍ୟ ହୋଇ ଯାଏ
ସଂପର୍କର ସୂତ୍ର ଗୁରୁ ମହାମନ୍ତ୍ର
ସଫଳ ଯେ ହୋଇଥାଏ ।୪
ସଂସ୍କାରୀ ମଣିଷ ପରମାତ୍ମା ପ୍ରିୟ
ସମ୍ମାନ ର ଅର୍ଥ ବୁଝେ
ମଣିଷ ପଣିଆ କର୍ତ୍ତବ୍ୟର ସ୍ରୋତ
ଜୀବନକୁ ସଦା ମାଜେ । ୫
ସଂସ୍କାରୀ ମଣିଷ ଅହଂକାର ଶୂନ୍ୟ
ଚରିତ୍ର ତା ଦାଉ ଦାଉ
ବ୍ୟକ୍ତିତ୍ବ ଝଲକେ ଶ୍ରଦ୍ଧା ଜାଗରୁକ
ତା ଶତ୍ରୁ ନଥାନ୍ତି କେହୁ ।୬
ସଂସ୍କୃତି ଆମର ସମାଜ ସୁଗନ୍ଧ
ତା ବାସରେ ଭରେ ମନ
ତା ବୁକୁରେ ଲେଖା ଜାତିର ସଂହିତା
ସେ ଆମ ପାଇଁ ମହାନ୍ ।୭
ସଂସ୍କୃତି ପୃଷ୍ଠାର ପ୍ରତିଟି ପତରେ
ଜୀଇଁବାର କଳା ଲେଖା
ଖୁସୀର ଲହର ଆମ ଶାସ୍ତ୍ର, ନୃତ୍ୟ
ଜାଳଇ ଯେ ଦୀପ ଶିଖା ।୮
ଜୀବନେ କରଣ କଥା ରାମାୟଣ
ନୀତି ଜ୍ଞାନ ଦୀକ୍ଷା ଦିଏ
ନ କରିବା କଥା ମହାଭାରତ ର
ପ୍ରତିଟି ପର୍ବରେ ଥାଏ ।୯
ଚିନ୍ତନ, କଥନ, ଅନୁପମ ଧାରା
ଭାଗବତ ସାର କହେ
ଗୀତା ସାରମର୍ମେ ସବୁ ସମସ୍ୟାର
ସମାଧାନ ସ୍ରୋତ ବହେ । ୧୦
ସାହିତ୍ୟ ସବୁରି ସହିତ ଯେ ଥାଏ
ଭାଷାକୁ ସମୃଦ୍ଧ କରେ
ସଂସ୍କାର, ସଂସ୍କୃତି, ସମାଜର କଥା
ଆମ ପାଖେ ଟେକି ଧରେ । ୧୧
ସାହିତ୍ୟ ପୃଷ୍ଠାରେ ସଂସ୍କାରର କଥା
ସଂସ୍କୃତିର ଚାରୁ ଗାଥା
ଲୋକ ଲୋଚ଼ନରେ ଦେଖାଇ ସହାସ୍ୟେ
ଚେତନା ସମୃଦ୍ଧ କରେ । ୧୨
ଅବକ୍ଷୟୀ ସମାଜକୁ ଦିଶା ଦିଏ
ମଣିଷକୁ ଜ୍ଞାନ ବିଭା
ଜାତି, ସଂସ୍କୃତିକୁ ଚିହ୍ନାଏ ସାଦରେ
ମନରେ ବିବେକ ଶୋଭା । ୧୩
ଅନୁଭୂତି ବାଣ୍ଟି ଶବ୍ଦ ମାଧୁର୍ଯ୍ୟରେ
ମନ ମୋହି ଦେଉ ଥାଏ
ପଥହରା ପାଇଁ ପଥ ନିର୍ଦ୍ଦେଶିକା
ପୁସ୍ତକ ଅରପି ଦିଏ |୧୪
ସାହିତ୍ୟ ମନ୍ଦିରେ ଶିକ୍ଷାର ଆସର
ଜୀବନର ଅଭିଲେଖ
ଜାଗରୁକତା ର ମନ୍ତ୍ର ଉଚ୍ଚାରଣେ
ଲେଖଇ ନୂଆ ଆଲେଖ୍ୟ ।୧୫
ସାହିତ୍ୟ ଅଟଇ ସମାଜ ଦର୍ପଣ
ସଭିଙ୍କୁ ଦେଖାଇ ଥାଏ
ହଜି ଯାଉଥିବା ସଂସ୍କୃତି ଧାରାକୁ
ପୁନରୁଦ୍ଧାର ଯେ କରେ । ୧୬
ସଂସ୍କାର ବିହୀନ ମନରେ କମ୍ପନ
ସଂସ୍କାର ଶଙ୍ଖ ପୁଙ୍କଇ
ଜୀବନ ଜୀଇଁବା କଳା କୁ ଶିଖାଇ
ସମସ୍ୟା ଦିଏ ଘୁଞ୍ଚେଇ ।୧୭
ସାହିତ୍ୟ ଅଟଇ ଭାଷାର ଗରବ
ମହକାଏ ଜୀବନକୁ
ସଂସ୍କାର, ସଂସ୍କୃତି ଅମୃତର ଧାରା
ଭେଟି ଦିଏ ଦୁନିଆକୁ I୧୮
ସାହିତ୍ୟ, ସଂସ୍କୃତି ସମାଜର କଥା
ସ୍ଖଳନର ଭାବ ରେଖ
ସବୁକୁ ଶବ୍ଦରେ ଗୁନ୍ଥନ କରି ସେ
ଅର୍ପଣେ ରଖଇ ଟେକ ।୧୯
ସାହିତ୍ୟ ମାଟିରୁ ଆକାଶ ବିସ୍ତୃତ
ଭୂମିରୁ ଭୂମା ତା ଗାଥା
ଚିତ୍ତରୁ ଚିନ୍ତନ ମନରୁ ମନନ
ବିଜ୍ଞାନୁ ଆଧ୍ୟାତ୍ମିକତା । ୨୦
ସାହିତ୍ୟ ସଭିଙ୍କ ସହିତ ବିରାଜେ
ଶୁଭାକାଂକ୍ଷୀ ସାଥୀ ଟିଏ
ରୂପରେଖ ତାର ଭିନ୍ନ ହୋଇପାରେ
ଉଦ୍ଦେଶ୍ୟ ମହତ ଥାଏ ।୨୧
ସାହିତ୍ୟ ରଖଇ ଭାଷାର ମହତ୍ତ୍ଵ
ଭାଷାରେ ଜାତି ଗର୍ବିତ
ସାହିତ୍ୟ କୁ ଛାଡ଼ି ଜୀବ ଅସଂପୂର୍ଣ୍ଣ
ସାହିତ୍ୟ ଜାତି ଅମୃତ । ୨୨
