ଭାଗବତ ଟୁଙ୍ଗୀ :ଭାବଗତ ବିନିମୟର ପୀଠ
ଭାଗବତ ଟୁଙ୍ଗୀ :ଭାବଗତ ବିନିମୟର ପୀଠ
ଭାଗବତ ଟୁଙ୍ଗୀ କହିଲେ ଦିଶଇ
ଛୋଟ କୁଡ଼ିଆ ଘର ଟେ
ଗାଁ ଆରମ୍ଭ ବା ଗାଁ ଶେଷ ମୁଣ୍ଡେ
ବିରାଜି ସଂସ୍କୃତି ବାଣ୍ଟେ | ୧
ଲଣ୍ଠନ ଯୁଗରୁ ରହି ଆସୁଥିଲା
ଭାବମୟ ତା ଅନ୍ତର
ଭାଗବତ ଭାବ ସହାସ୍ୟେ ବାଣ୍ଟେ ସେ
ଜୀବନର ମୋକ୍ଷ ଦ୍ଵାର | ୨
ସଞ୍ଜ ନଈ ଗଲେ ଗ୍ରାମ୍ୟ ବଧୂ ହାତୁ
ସଞ୍ଜ ସଳିତା ଜଳଇ
ତା ଭାବରେ ଟୁଙ୍ଗୀ ହୁଏ ଭାବମୟ
ଭାବ ପୀଠ ପରା ସେଇ ।୩
ଗାଁର ପଣ୍ଡିତେ ଭାଗବତ ପୋଥି
ହାତେ ଧରି ବସି ଯାନ୍ତି
ତାଙ୍କ ଚାରିପଟେ ଗ୍ରାମବାସୀ ବୃନ୍ଦ
ଜୁଟ ହୋଇ ବସି ଯାନ୍ତି ।୪
ଦେଖି ଦେଲେ ଲାଗେ ଏକତାର ଭାବ
ସତରେ କି ମଧୁମୟ
ଶ୍ରୋତା ବକ୍ତା ମଧ୍ୟେ ଭାଗବତ ଭାବ
ହେଉଥାଏ ବିନିମୟ । ୫
ଭାଗବତ ସାର ଅଟେ ମୋକ୍ଷ ଦ୍ଵାର
ଅଟେ ଗୁରୁଜ୍ଞାନ ଗୀତା
ପ୍ରେମ, ଭକ୍ତି, ଜ୍ଞାନ,ଜୀବନ ଦର୍ଶନ
ଭାଗବତ ଦିଏ ବାର୍ତ୍ତା । ୬
ସହଜ ସରଳ ଭାବେ ବ୍ୟାଖ୍ୟା କରି
ବକ୍ତା ଯେ ଶୁଣାଉ ଥାନ୍ତି
ଅକ୍ଷର ନଜାଣି ଗାଁ ର ମଣିଷ
ଭାବାମୃତ ନେଉ ଥାନ୍ତି ।୭
ଭାବରେ ଭାବରେ ଭାଗବତ ଟୁଙ୍ଗୀ
ହୃଦୟେ ଯେ ଘର କରେ
କଥାରେ କଥାରେ ଭାଗବତ ପଦ
ଗ୍ରାମେ ଉଚ୍ଚାରିତ ହୁଏ । ୮
ଭାଗବତ ଟୁଙ୍ଗୀ ପ୍ରତିଟି ଗାଆଁର
ପବିତ୍ର ମନ୍ଦିର ଟିଏ
ଗାଁ ସମସ୍ୟାର ସୁ-ସମାଧାନ ଯେ
ଏହି ମନ୍ଦିରରେ ହୁଏ ।୯
ଭାଗବତ ଟୁଙ୍ଗୀ ଏମିତି ପୀଠଟେ
ଭାବମୟ ତାର କାୟା
ଭାଗବତ କଥା ନ ଶୁଣି ପାରିଲେ
ଲୋକେ ହେଉ ଥିଲେ ବାୟା । ୧୦
ଭାଗବତ ଭାବ,ସଂସ୍କୃତି ଧାରାକୁ
ଏ ଟୁଙ୍ଗୀ ଯେ ବାନ୍ଧି ରଖେ
ଆଧ୍ୟାତ୍ମ ଚେତନା, ନୂଆ ଦିଗ୍ ଦର୍ଶନ
ଏଇ ଠୁ ମଣିଷ ଶିଖେ ।୧୧
ଏ ଟୁଙ୍ଗୀ ଗ୍ରାମ ର ପବିତ୍ର ପୀଠ ଟେ
ସବୁ ଭାବେ ପରିପୂର୍ଣ୍ଣ
ସୃଷ୍ଟି ତତ୍ତ୍ଵ ଠାରୁ ଜ୍ଞାନ ଓ ବିଜ୍ଞାନେ
ଏହି ଟୁଙ୍ଗୀ ଦିଏ ଜ୍ଞାନ । ୧୨
ଭାଗବତ ଟୁଙ୍ଗୀ ସଂସ୍କାର ଶୀଳାଟେ
ପବିତ୍ର ପାବନୀ ଧାରା
ସକଳ ଭାବର ବିନିମୟ ପୀଠ
ଜୀବ ହୁଏ ହରା ଭରା ।୧୩
ହଜି ଯାଇଅଛି ଭାଗବତ ଟୁଙ୍ଗୀ
ଭାବୋତ୍ସଳତା ହଜିଛି
ସମୟ ର ଦ୍ବାହୀ ଦେଇ ଏ ମଣିଷ
ଆଧ୍ୟାତ୍ମ ରାସ୍ତା ଭୁଲୁଛି । ୧୪
ଏ ପବିତ୍ର ପୀଠ ହଜି ଯାଉ ଅଛି
କଥାରେ କଥାରେ ମାଡ଼ ବ
ସମାଧାନ ରାସ୍ତା ମଣିଷ ଭୁଲିଛି
ଥାନା ବାଲାଙ୍କର ଭିଡ଼ ।୧୫
ଭାବ ବିନିମୟ ପୀଠ ହଜି ଅଛି
ଭାବ ପାଲଟିଛି ଶବ
ସ୍ଵାର୍ଥର ପରଳ ପଡ଼ିଛି ଆଖିରେ
କିଏ କା' କଥା ଭାବିବ । ୧୬
ଭାଗବତ ପାଠ ହଜି ଯାଉଅଛି
ତତ୍ତ୍ଵ କେଉଁଠୁ ମିଳିବ
ଭାଗବତ ଟୁଙ୍ଗୀ ପୁନର୍ଜନ୍ମ ପାଉ
ଜୀବନ ଦିଶା ମିଳିବ ।୧୭
ଜୀବନ ଜୀଇଁବା କଳା ଶିଖି ହେବ
ସବୁ ତତ୍ତ୍ଵ ଜାଣିହେବ
ଭାବ ବିନିମୟ ପୀଠ ଆମ ଟୁଙ୍ଗୀ
ମୋକ୍ଷ ଦ୍ଵାର ଖୋଲି ଦେବ | ୧୮
ପ୍ରତି ପ୍ରଭାତରେ ଶୁଭ ଶଙ୍ଖ ନାଦ
ମନ ପବିତ୍ର କରିବ
ସାନ୍ଧ୍ୟ ସଳିତାର ଅପୂର୍ବ ମହକେ
ଗ୍ରାମ ଆମ ପୁରି ଯିବ । ୧୯
ସଂପର୍କ ଡୋରଟା ଶକ୍ତ ହୋଇଯିବ
ସଂସ୍କୃତି ଜୀଇଁ ଉଠିବ
ଆମର ସଂସ୍କୃତି ଭାଗବତ ଟୁଙ୍ଗୀ
ସଂସ୍କାର ବାରତା ଦେବ । ୨୦
ଭାଗବତ ଟୁଙ୍ଗୀ ପବିତ୍ର କମ୍ପନେ
ପରିବେଶ ପୁରି ଯିବ
ମନ ଗହନରେ ପବିତ୍ର ଭାବନା
ଘର କରି ଯେ ବସିବ ।
