ପ୍ରତୀକ୍ଷାର କେବେ ଶେଷ
ପ୍ରତୀକ୍ଷାର କେବେ ଶେଷ
ଚାହିଁ ରହେ ଚାଷୀ ବୁଣି ବିହନକୁ
ଆସିବ କେବେ ବରଷା
ଟାଙ୍ଗରା ଭୂଇଁରେ ଗଜା ଗଛ ତା'ର
ମନରେ ଭରିବେ ଆଶା ।
ଛୁଆ ବାଛୁରୀଟି ଦେଇ ହମ୍ଵା ରଡି
ଡାକେ କେଣେ ଗଲୁ ମାଆ?
ଗଡ଼ିଗଲେ ବେଳ ଆସିଲା ବାଟକୁ
ଚାହିଁ ଚାହିଁ ହୁଏ ଠିଆ ।
ସୂର୍ଯ୍ୟ ଉଦୟରେ ଫୁଟେ ପଦ୍ମ କଢ଼ି
ପିଅଇ କିରଣ ସୁଖେ
ବୁଜି ହୋଇଯାଏ କଇଁର ପାଖୁଡ଼ା
ସଞ୍ଜର ବାଟ ସେ ଦେଖେ ।
ଗଡି ଚାଲେ ଦିନ, ମାସ ଓ ବରଷ
ମହାନଦୀ ସୁଅ ପରି
ଗଲାଣି ତ ଗଲା କଥା କହି କହି
ସଭିଏ ହୁଅନ୍ତି ଝୁରି ।
କେବେ ସଫଳତା, କେବେ ବିଫଳତା
ଦୁଃଖ, ସୁଖ, ଭଲ, ମନ୍ଦ
ରୋଗ, ବୈରାଗ୍ୟ ,ମାନ ,ଅଭିମାନ
ବିଷାଦ ସହ ଆନନ୍ଦ ।
ଯେତେ ପାଇଲେ ବି ନ ହୁଏ ସନ୍ତୁଷ୍ଟ
ଧନ, ମାନ, ଯଶ,ଖ୍ୟାତି
ସବୁବେଳେ ଥାଏ ଅସନ୍ତୋଷ ଭାବ
ହେଉ କଣ୍ଟ ଅବା ଯତୀ ।
ଦିଏ ଦୋଷ କେବେ ନିଜର ଭାଗ୍ୟକୁ
କେବେ ସମୟକୁ ପୁଣି
ଇଚ୍ଛା ଅନୁସାରେ ନ ମିଳିଲେ ଫଳ
ହେଉଥାଏ ମନେ ଗୁଣି ।
ଆଲୋକ, ଆନନ୍ଦ ,ଜ୍ୟୋତି ଓ ସାମର୍ଥ୍ୟ
ଲୋଡା ମଣିଷର ପାଇଁ
ମିଳେନା ସହଜେ ଏ ଚିଜ କାହାକୁ
ଝୁରି ଝୁରି ମରୁ ଥାଇ ।
ଆତ୍ମସନ୍ତୋଷ ହୁଅଇ ଆବଶ୍ୟକ
ସବୁ ଜୀବଜନ୍ତୁଙ୍କର
ଥାଉ ସଚେତନ ଅବା ଅଚେତନ
ଯେପରି ହେଉ ଶରୀର ।
ପ୍ରତି ଦିନ ଆସେ ଧରି ସମ୍ଭାବନା
ଘଟେ ତ କିଛି ଘଟଣା
ସୁହାଇଲେ ସବୁ ଲାଗଇ ସହଜ
ଦିଅଇ କେତେ ପ୍ରେରଣା ।
କିନ୍ତୁ ଯଦି ଘୋଟି ଆସେ ଅମା ନିଶି
ଲାଗେ ଡହଳ ବିକଳ
ଉଦ୍ଧାର ପାଇବା ପାଇଁ ବିପଦରୁ
ଡାକୁ, ରଖ ହେ ଗୋପାଳ!
ବିପର୍ଯ୍ୟୟ ଯେତେ ଦୂରେ ଯାଉ ଚାଲି
ଭୋକିଲା ନ ରହୁ କେହି
ଚୋରା ଚଇତାଳି ଲେଉଟାଣି ଆସି
ପୁଲକିତ କରୁ ମହୀ ।