ଜୀବନ ଓ ଯୌବନ
ଜୀବନ ଓ ଯୌବନ
ସ୍ୱପ୍ନରୁ ବାହାରି ବାସ୍ତବ ସହରେ
ଖୋଜୁଥିଲି ତୁମ ପତ୍ତା,
ଯାଯାବର ରୂପ ଯୌବନ ବୟସେ
ଧରି ଭ୍ରମୁଥିଲି ଏକା,
ଜଣା ଅଜଣା ଓ ଜୀବନ ସ୍ଥାଣୁ ରେ,
ମନ ଲେଖିଦିଏ ପ୍ରଶ୍ନ,
ହେ ଅର୍ଣ୍ଣ, ଅନିଳ, ଅଗ୍ନି ହେ ମଳୟ
କାହିଁ ମୋ ପ୍ରେମର ସ୍ଥାନ?
ସମୟ ହାତରେ ପିତୁଳା ସାଜି ମୁଁ
ପାଶୋରି ଥିଲି ମୋ ସତ୍ତା,
ଭ୍ରମ ର ସବାରୀ ସନ୍ଦେହକୁ ଧରି
ଯେହୁଁ ପାଏ ତୁମ ବାର୍ତ୍ତା,
ପୁଷ୍ପମୟ ହୁଏ ଚତୁର୍ଦିଗ ମୋର
ସୌରଭ ବଦଳେ ରଙ୍ଗ ,
ଶୁଆ ସାରୀ ଆସି କର୍ଣ୍ଣେ ମୋ କହନ୍ତି
ଆସିଲା ତୋ ପ୍ରେମ ସ୍ପର୍ଶ
ମନ୍ଦ ହସ ଆଣି ଓଢଣୀ ତଳରେ
ଅଧର ଚାପି ମୁଁ ହସେ,
କହ ଲୋ ଦୁଲଣୀ ମୋ ପ୍ରେମର ବାଣୀ
ଆଜି କେଉଁ ରଙ୍ଗେ ତା ମନ ସାଜେ?
ଅଝଟି ସାରୀର ନବରଙ୍ଗ ଠାଣି
ମନେଇ କୂଜନ ସତେ!
ବାରବାର ପୁଛି ନୀରବି ଗଲେ ମୁଁ
କହି ଉଠେ ଶତ ପଦେ
ଶୁଣ ହେ ପ୍ରେୟସୀ ତୋ ପ୍ରିୟତମ ଆଜି
ଚହଟେ କୁମୁଦ ବର୍ଣ୍ଣେ,
କଳା କାଳିମା ବି ଫିକା ପଡିଯିବ
ତା ଆଖିର ଚାହାଣୀ ଠାଣେ,
କି ରୂପ କାନ୍ତିରେ ସୁଢଳିଛି ଦେବ
ମନ ବି ମୋହର ହରେ,
ତୁ କି ବଞ୍ଜାରୁଣୀ ତୋତେ ସେ ମିଳିବ?
କାହୁଁ ଭାଳୁ ଅଯଥାରେ?
ହୃଦ ର ସ୍ପନ୍ଦନ ଥମି ଯାଏ ସାରୀ
କଟୁକ୍ତି ତୁ କିଆ ବାଢୁ?
ବିଧାତା ରଚିଛି ଯାହା ମୁଁ କରୁଛି
କାହିଁ ପାଇଁ ମୋତେ ଚିଡୁ?
ଅନାୟତ ମନ ପରିଧି ସେପାରେ
ପ୍ରେମର ପରସ ଖୋଜେ,
ତୁ କିଆଁ କହୁଛୁ ମୃଗତୃଷା ଏ ଯେ
ପ୍ରିୟ ତୋ ଯୋଗ୍ୟତା ପରେ?
ପ୍ରଶ୍ନ ଥିଲା ମୋର କାହିଁ ମୋର ପ୍ରେମ
କିପରି ତା ମନ ରାଜ୍ୟ?
ତୁ ଯେ ଅଝଟୁଣୀ ବାର୍ତ୍ତା କି ଆଣିଲୁ
ସାଥେ ଆଣୁ ଶୋକ ପତ୍ର,
ନାସିକାରୁ ରୋଷ ମସ୍ତିଷ୍କ କୁ ଯାଇ
କହୁଛି ସାରୀର ମନ
ପ୍ରିୟତମ ତୁମ ପ୍ରେମ ପତ୍ର ପଢି
ଦେଇ ଦେଲେ ବାର୍ତ୍ତା ପୁଣ,
ପ୍ରକମ୍ପିତ ହୋଇ କର ପାଦ ଚାପି
ପତ୍ର ପାଇ ମନ ସ୍ଥିର
ସନ୍ଦେଶ ଆଲେଖ୍ୟ ବଳରେ କରିଲେ
ହୃଦୟକୁ ମୋର କ୍ଷତ
ଲୋତକ ଧାରରୁ ପ୍ରେମର ଆବେଗ
ଧୋଇ ହୋଇ ଯାଉଥିଲା
ସାନ୍ତ୍ଵନା ଶବ୍ଦ ଓ ପୁଷ୍ପ ଉଦ୍ୟାନ ବି
କଣ୍ଟକିତ ଲାଗୁଥିଲା,
ସାରୀ କୁହେ ଯୋଗୀ ଶୁଣ ଲୋ ମୋ ଉକ୍ତି
ଅନୁଭବ ଜୀବନେ ଥାଏ
ମାତ୍ର ଜୀବନ ନଚାଲେ ଆବେଗ ନୀତି ରେ
ଏହା ହିଁ ଜାଣ ତୁ ଭଲେ,
କୁହୁଡ଼ି ଧୁଆଁର ଭାବନା ନଦୀରେ
କିଏ ବା ସନ୍ତରି ଥାଏ ?
ବାସ୍ତବତା ଏହି ଯାହା ତୁ ପାଇଲୁ
ପ୍ରେମ ପରିଣାମ ଏ ଯେ।