ଦେଖି ଚକାଆଖି, ଆଖି ଯାଏ ଲାଖି
ଦେଖି ଚକାଆଖି, ଆଖି ଯାଏ ଲାଖି
ସଖୀ ଲୋ ସଖୀ ......
ଦେଖି ଚକାଆଖି...ଆଖି ରହେ ଲାଖି
ପଡ଼େନା ପଲକ ତା' ରୂପ ନିରେଖି,
ଏକ ଲୟେ ଚାହିଁ ଥାଏ ମନ ପକ୍ଷୀ
ଆଶିଷେ ତା'ର ଜଗତ ହୁଏ ସୁଖି।
ସଖୀ ଲୋ ସଖୀ ......
ସେ ଲୋ ଶ୍ରୀକ୍ଷେତ୍ର ମଉଡମଣୀ
ମନ ପ୍ରାଣ ସବୁରି ନିଅଇ ଟାଣି,
ବଡ଼ ଦେଉଳର ସିଏ ନୀଳମଣି
ଅପରୂପ ଦିଶେ ଲୋ ତାହାର ଠାଣି।
ସଖୀ ଲୋ ସଖୀ ......
ଚକା ଚକା ଆଖି ବାଙ୍କ ତା' ଚାହାଁଣି
ଅପାର ମହିମା ହୁଏନା ବଖାଣି,
ସବୁ ରୂପର ରୂପ ସେ ଜ୍ଞାନୀ ଗୁଣୀ
ସାରା ଜଗତର ସେ ପରଶମଣି।
ସଖୀ ଲୋ ସଖୀ ......
ଅନାଥର ନାଥ ଭକତର ବନ୍ଧୁ
ଦୟାମୟ ଆର୍ତ୍ତତ୍ରାଣ କୃପାସିନ୍ଧୁ,
ଭକ୍ତି ଭାବେ ତାକୁ ହୃଦୟରେ ବାନ୍ଧୁ
ସେ ଦୈତାରୀ ଦୀନବନ୍ଧୁ ପ୍ରାଣବନ୍ଧୁ।
ସଖୀ ଲୋ ସଖୀ ......
ବାର ମାସରେ ତା'ର ଚବିଶ ବେଶ
ଝଟକେ ରୂପକାନ୍ତି ଜ୍ୟୋତି ଅଶେଷ,
ସାରା ଜଗତଜନ ତା'ଠାରେ ବଶ
ରଖିଥାନ୍ତି ସର୍ବେ ଭରସା ବିଶ୍ଵାସ।
ସଖୀ ଲୋ ସଖୀ......
ବିପଦେ ଆପଦେ ହୁଏ ସେ ସହାୟ
ବାହୁ ଛାୟା ତଳେ ଦିଏ ଲୋ ଆଶ୍ରୟ,
ସଂସାର ରଖେ ନୀରୋଗ ନିରାମୟ
ଦୂରେଇ ଯାଏ ଲୋ ହୃଦୟରୁ ଭୟ।
ସଖୀ ଲୋ ସଖୀ.....
ସାରା ଜଗତର କରେ ସେ ମଙ୍ଗଳ
ବିଶ୍ଵ ବ୍ରହ୍ମାଣ୍ଡର ଏକା ସେ ପାଳକ,
ଇଙ୍ଗିତେ ତା'ର ହୁଏ ସଞ୍ଜ ସକାଳ
ତା' ଅଧୀନେ ସସାଗରା ଜଳ ସ୍ଥଳ।
ସଖୀ ଲୋ ସଖୀ.....
ଭକ୍ତି ଭାବ ରଖି କରେ ମୁଁ ପ୍ରାର୍ଥନା
ପବିତ୍ର ମନେ କରେ ପୂଜା ଅର୍ଚ୍ଚନା,
ରଖିଛନ୍ତି ରଖିବେ କରି କରୁଣା
କରେ ସଦା ଉପାସନା ଆରାଧନା।
ସାରା ଜଗତେ ଯୁଗ ଯୁଗର ସାକ୍ଷୀ
ଚଳାନ୍ତି ସେ ସତ୍ୟ ନ୍ୟାୟ ଧର୍ମ ରଖି,
ସୁନ୍ଦର ପଣକୁ ନେଇଛନ୍ତି ମାଖି
ଦେଖି ଚକାଆଖି ଆଖି ଯାଏ ଲାଖି।
ସଖୀ ଲୋ ସଖୀ.....।।
