ଭୟ
ଭୟ
ଦୁର୍ବଳ କ୍ଷଣରେ ଦୁର୍ବଳ ମନର
ନାକାରାତ୍ମକ ବିଚାର,
ଭୟର କବଳେ ପଡିଗଲେ ହୁଏ
ଶକ୍ତିହୀନ ସ୍ଥାଣୁ ନର। [୧]
ମନୋବଳ ପୁଞ୍ଜି ସରି ସରି ଗଲେ
ମନେ ଜମେ ବ୍ୟାକୁଳତା,
ଚିନ୍ତା ବଢି କରେ ଶରୀର ରୁଗୁଣ
ହରାଇ କାର୍ଯ୍ୟ କ୍ଷମତା । [୨]
ଅଳିକ, ପାର୍ଥିବ-ଚିଜରେ ଶରଧା,
ଭଉତିକ-ସୁଖେ ରତ,
ବେଶୀ ବେଶୀ ସୁଖ ହାତେଇବା ଆସେ
ହତାଶାରେ ବୁଡ଼େ ମିତ। [୩]
ବ୍ରହ୍ମଟିକୁ ଜାଣି ଵିଵେକୀ ମଣିଷ
ଜଗାଏ ତ୍ୟାଗ ଭାବନା,
ବିବେକ ଜ୍ଞାନର ଆଲୋକ ଜଳାଇ
ତେଜେ ଆସକ୍ତି କାମନା । [୪]
ହୃଦୟରେ ଆମ ଅଭୟ ପ୍ରଦାୟୀ
ଠାକୁରେ ବିରାଜମାନ,
ଅଜ୍ଞାନୀ! ନବୁଝି, କାତରତା ପଣେ
ନିଜକୁ ମଣୁଛ ହୀନ ? [୫]
ଭୌତିକ ଭୟକୁ ଆତ୍ମବିଶ୍ଵାସ ଓ
ଶରଧାରେ ବଦଳେଇ ,
ସହିବା ଶକତି, ସାହାସ ପଣିଆ
ଆଗ୍ରହ ମନରେ ନେଇ । [୬]
ଘାତ ପ୍ରତିଘାତ ଦୂର ହୁଏ ନାହିଁ,
ଦୁର୍ଘଟଣା ସରେ ନାହିଁ,
ଜୀବନ ଯୁଦ୍ଧରେ ଛାମୁଆ ସେନାନୀ
ମରଣକୁ ଡରେ ନାହିଁ । [୭]