ଲଣ୍ଠନ
ଲଣ୍ଠନ
ମିଞ୍ଜି ମିଞ୍ଜି ହୋଇ ଜଳୁଥିବା
ଲଣ୍ଠନ ବି କେତେ ମହତ୍ୱ
ନିଜେ ଜଳି ଅନ୍ୟକୁ
କରେ ଆଲୋକିତ ।
ଗଭୀର ଅନ୍ଧକାରରେ ରହି
ଚତୁଃପାର୍ଶ୍ୱ ଉଜ୍ୱଳ କରେ
ଦୁଃଖ ନୈରାଶ୍ୟକୁ ଜାଳି ପୋଡି
ପାଉଶ କରେ ତାରି ଭିତରେ ।
ଗର୍ବ ଅହଙ୍କାରକୁ ପ୍ରଶୟ
ଦିଏନାହିଁ କେବେ
ଜଳିବାରେ ଥାଏ ଆନନ୍ଦ ।
ନିଜର ମହତ୍ୱ ପ୍ରଷ୍ଫୁଟିତ କରେ
ନାହିଁ ତାର ଉଦ୍ଦେଶ୍ୟ ମନ୍ଦ ।
ଅନ୍ୟର ଖୁସି କୁ ଦେଖି
ସିଏ ହୁଏ ଉଲ୍ଲସିତ ।
ଅଭ୍ୟନ୍ତରକୁ ସେ ଅନ୍ଧାରରେ ରଖି
ଚାରିଦିଗକୁ ଆଲୋକର ରଶ୍ମି
କରେ ବିଚ୍ଛୁରିତ ।
ମିଞ୍ଜି ମିଞ୍ଜି ହୋଇ ଜଳି
ଅନ୍ୟକୁ ଦେଖାଏ ବାଟ
ନିଜ ଜୀବନକୁ କଳୁଷିତ କରି
ଦିଏ ସେ ଆଲୋକ ।
ମାଗେନାହି କେବେ ଜଳିବାର ସେ
ପାଉଣା କି ପ୍ରତିଦାନ
ନିଜେ ଜଳି ଅନ୍ୟକୁ ଆଲୋକ ଦେବାକୁ
ଦଇବ ଦେଇଛି ଜନମ ।
ଜ୍ୱଳନ୍ତ ଶିଖାକୁ ଉଜ୍ୱଳିତ କରିବାକୁ
ନିଏ ତେଲର ଆଶ୍ରୟ ।
ତେଲ ସରିଗଲେ ନିସହାୟ ପରି
ନିଜେ ଜଳି ଜଳି ଦିଏ ଆଲୁଅ ।