ଆଧୁନିକତାର ସ୍ପର୍ଶ
ଆଧୁନିକତାର ସ୍ପର୍ଶ
ଆଧୁନିକତାର ସ୍ପର୍ଶରେ
ବଦଳି ଯାଇଛି ମୋର ଗାଁ,
ହେଲେ ଆଜି ବି ନିଶ୍ଚଳ, ଉଜ୍ଜଳ
ରହିଛି ମନେ ତାର ନାଁ ।
ଆଧୁନିକତାର କରାଳ ଗ୍ରାସେ
ଗାଁ ମୋର କୋଳାହଳ ,
ଶୁଭେ ନାହିଁ ଆଜି ଗଛ ଡାଳେ
କାକଳିର ସ୍ୱର ।
ନାହିଁ ସେ ବାଉଁଶ ବୁଦା ବାରି ଆଡେ଼
ନାହିଁ ଆଉ ଆମ୍ବ ତୋଟା,
ବଦଳି ଗଲାଣି ଗାଁ ପରିବେଶ
ଏବେ ପଖାଳ ଲାଗଇ ଖଟା ।
ନାହିଁ ଆଉ ସେ ସବୁଜ ବନାନୀ
ନାହିଁ ଆଉ ଧାନ ବିଲ ,
କା ଭାଁ କ୍ଷେତରେ ଆସି
ଟ୍ରାକ୍ଟର କରୁଛି ହଳ ।
ସକାଳ ହେଲେ ଚାଷୀ
ଯାଉ ନାହିଁ ହଳ କରି ,
ଦିନ ରାତି ଗାଁ ରାସ୍ତାରେ ଯାଏ
ବଡ଼ ବଡ଼ ଗାଡ଼ି ହରେନ୍ ମାରି ।
ଦିଶୁ ନାହିଁ ଆଉ ସେ କାଶତଣ୍ଡି
ଦିଶେ ନାହିଁ କବାଡି ଖେଳ,
ଗାଁ ପିଲା ମୋର କୁହନ୍ତି ଏବେ
ଏ ତ ଅନଲାଇନ୍ ଗେମ୍ ବେଳ ।
ନାହିଁ ଆଉ ଖଣ୍ଡେ ଚାଳ ଘର
ନାହିଁ ସେ ବାଉଁଶ ତାଟି ,
ବଡ଼ ବଡ଼ କୋଠା ଏବେ ସବୁ
ଉପରକୁ ପାଉନି ଆଖି ।
ଗାଁ ସ୍କୁଲ୍ ରେ ପଡ଼ିଛି ତାଲା
ବାହାରେ ଅଛନ୍ତି ପିଲା ଦୁଇ,
ପାଖ ଗାଁ ରେ ଇଂଲିଶ ମିଡ଼ିୟମ୍ ସ୍କୁଲ୍
ସମସ୍ତେ ଯାଉଛନ୍ତି ଧାଇଁ ।
ନାହିଁ ଆଉ ସେ ବର ଗଛ ଛାଇ
ବାଟୋଇ ବି ବସୁ ନାହିଁ ,
ଜନ୍ତୁ ଟିଏ ଦିଶିବ କି ଅବା
ପକ୍ଷୀ ଟିଏ ଉଡୁ ନାହିଁ ।
ସଂଜ ବେଳେ ଶୁଭୁ ନାହିଁ ଆଉ
ମନ୍ଦିର ର ଘଣ୍ଟ ଶବଦ ,
ନିଜ ହାତେ ପରିବେଶ ନଷ୍ଟ କରେ
ଆଜି ମଣିଷ ସାଜିଛି ନିର୍ବୋଧ ।