ଶିଖିବା ଆମେ
ଶିଖିବା ଆମେ
ସୃଷ୍ଟିର ଉପହାର ଏ
ପ୍ରକୃତିର ଦାନ,
ବିଧିର ବିଧାନ ସବୁ
କେ କରିବ ଆନ ।
ପାହାଡ଼ ଶିଖାଏ ଏଠି
ଉଚ୍ଚା ରଖ ନିଜ ମୁଣ୍ଡ,
କର ନାହିଁ ଏମିତି କର୍ମ
ଯାହା ପାଇଁ ଆଜୀବନ ମିଳୁ ଦଣ୍ଡ ।
ସାଗର କହେ ମନେ
ଦିଅ ଭରି ଉମଙ୍ଗ,
ଦୁନିଆରେ ଅଛି ଅନେକ କିଛି
ଜାଣିବାକୁ ବୁଝିବାକୁ ହୁଅ ଜାଗ୍ରତ ।
ଫୁଲ ପରି ହୁଅ କୋମଳ
ସଭିଙ୍କୁ ବାଣ୍ଟ ବାସ,
ନିଃସ୍ୱାର୍ଥପର ଭଲ ପାଇବାରେ
ଭରି ଦିଅ ମନେ ବିଶ୍ୱାସ ।
ଆକାଶ କହେ ଏଠି
ସଫଳତାକୁ କର ସ୍ପର୍ଶ,
ସାରା ଦୁନିଆରେ ଖେଳି ଯାଉ
ତୁମ ପ୍ରଶଂସାର ସୁଅ ।
ସୂର୍ଯ୍ୟ ଶିଖା ଏ ଏଠି
ବାଣ୍ଟିବାକୁ କିରଣ,
ସଭିଁଙ୍କ ହୃଦୟରେ ଭରିଦିଅ
ନୂଆ ନୂଆ ପୁଲକ ।
ପୃଥିବୀ କହେ ଶୁଣ
ଧୈର୍ଯ୍ୟ ବାନ୍ଧି ରଖ,
ସୁଖ ଦୁଃଖ ସବୁ କିଛି ସହି
ଆଗକୁ ବଢିବା ଶିଖ ।
ମାଟି ଶିଖାଇ ଦିଏ
ସହନଶୀଳତାର ଗୁଣ,
ଗଢି ତୋଳ ନିଜକୁ ଏମିତି
ନ ଥିବ ମନେ କିଛି ଖୁଣ ।
ଦୀପ ଜଳି ଜଳି ନିଜେ
ବାଣ୍ଟେ ଯେ ଆଲୋକ,
ସେହି ପରି ଅନ୍ୟର ଖୁସିର
ହବା ଆମେ କାରକ ।
ଭଲ ପାଇବାର ରଜ୍ଜୁରେ
ସ୍ନେହ କରୁଣାର ଡୋରୀରେ,
ବାନ୍ଧି ରଖିବା ସଭିଙ୍କୁ
ମନୁ ରାଗ ହିଂସା କାଢିରେ ।
