ମହକ ବୁଣେ ପୁଷ୍ପଗିରି
ମହକ ବୁଣେ ପୁଷ୍ପଗିରି
ଏଠି ପଥର ଓଠରେ ଫୁଟେ ଦରଦୀ ଭାଷା
ପାହାଡ ଛାତିରେ ଅଙ୍କିତ ବିସ୍ମୟ ମୂର୍ତ୍ତିକଳା
ବିଭିନ୍ନ ଆକୃତିର ସ୍ତୂପ, ଉପାସନା ପରିସର
ବୁଣୁଥାଏ ଯାଦୁକାରୀ, ଅଲୌକିକ ଜ୍ୟୋତି
ମାଟିରୁ ମହକେ ଐତିହ୍ୟ, ସଂସ୍କୃତିର ବାସ୍ନା
ଶହଶହ ବର୍ଷ ତଳ ସ୍ମୃତି ଲାଗେ ପ୍ରାଣବନ୍ତ।
ଦିନେ ଥିଲା ବିଶ୍ୱର ବୃହତ୍ ବୌଦ୍ଧ ବିହାର,
ଶୁଣାଏ ପ୍ରାଚୀନ କଳିଙ୍ଗର ଗୌରବ ଗାଥା
ବିସ୍ମୟ ଭରେ ଆଖିରେ, ନଇଁପଡେ ମଥା ।
ଆସ ଦେଖିଯିବ "ହୀରକ ତ୍ରିଭୁଜ କ୍ଷେତ୍ର"
କେମିତି ଥିଲା ପ୍ରାଚୀନ ଇତିହାସର ଛବି
ଗଢି ଉଠିଥିଲା "ପୁଷ୍ପଗିରି ବିଶ୍ୱବିଦ୍ୟାଳୟ"
ଦେଶବିଦେଶରୁ ଆସୁଥିଲେ ବହୁ ବିଦ୍ୟାର୍ଥୀ
ବହିଃ ଶତୃଙ୍କ ଘନଘନ ଆକ୍ରମଣ ଯୋଗୁ
ଲୁଚି ଯାଇଥିଲା ଶିରି ମାଟି ଘୋଡଣିରେ।
କାନେଇ ଶୁଣିଲେ, ଆଜି ବି ମନେହେବ
ପବନରେ ଯେମିତି ଭାସି ଆସୁଛି ନିୟତ
ସନ୍ନ୍ୟାସୀମାନଙ୍କ "ବୁଦ୍ଧଂ ଶରଣଂ ଗଛାମି" ,
ଶିକ୍ଷାର୍ଥୀଙ୍କ ବିଦ୍ୟା ଅଧ୍ୟୟନ କୋଳାହଳ,
ସାଧନାରତ ତାନ୍ତ୍ରିକଙ୍କ ପୂଜା ମନ୍ତ୍ରପାଠ !!
ଅତୀତର ସାକ୍ଷୀ ରୂପସା, ବ୍ରାହ୍ମଣୀ ନଦୀ
ଅବବାହିକାସ୍ଥିତ ଲଳିତଗିରି, ଉଦୟଗିରି,
ରତ୍ନଗିରି, ଯେଉଁଠି ଦିନେ ଗଢି ଉଠିଥିଲା
ପ୍ରାଚୀନ ବିଖ୍ୟାତ ପୁଷ୍ପଗିରି ମହାବିହାର।
ଲଳିତଗିରି ନିକଟରେ ପ୍ରବାହିତ କେଳୁଅ
ନଦୀ ଭରିଦେଉଥିଲା ପ୍ରାକୃତିକ ସୌନ୍ଦର୍ଯ୍ୟ,
ତିନି ପାହାଡ ଉପରେ ଥିଲା ତିନି ପରିସର
ପରସ୍ପରକୁ ଯୋଡି ରଖିଥିଲା ମହାବିହାର।
ବିଂଶ ଶତାବ୍ଦୀ ଶେଷ ଦଶକର ମଧ୍ୟଭାଗ
ଯାଏ ପୁଷ୍ପଗିରି ରହିଥିଲା ଦୃଷ୍ଟି ଅନ୍ତରାଳେ।
ଦୁଇ ଦଶନ୍ଧି ତଳେ ଆମ ଆଖି ଫିଟାଇଛି
ପ୍ରତ୍ନତାତ୍ତିକ ଖନନରୁ ଉଦ୍ଧାର ଅବଶେଷ।
ଖୋଲିଛି ଅନ୍ଧାରୀ ଅତୀତର କିଛି ତଥ୍ୟ
ଲୁଚି ରହିଛି ଆହୁରି ଅନେକ ରହସ୍ୟ।
ଚୀନ ପରିବ୍ରାଜକ ହୁଏନ ସାଂଙ୍କ ବିବରଣୀ
କହେ- ପ୍ରାଚୀନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ
ଥିଲା ନାଳନ୍ଦା, ତକ୍ଷଶୀଳା ସମସାମୟିକ।
ପ୍ରତ୍ନତାତ୍ତିକ ଖନନ ବେଳେ ସଂଗୃହୀତ
ଅନେକ ମୂର୍ତ୍ତି, ବ୍ରାହ୍ମୀ ଶିଳାଲେଖ, ଫରୁଆ,
ଟେରାକୋଟା ମୋହର, ବିଭିନ୍ନ ଆକୃତିର
ସ୍ତମ୍ଭ ଏବେ ସଂଗ୍ରହାଳୟରେ ସଂରକ୍ଷିତ।
ଲଳିତଗିରି/ ଲାଙ୍ଗୁଡି ପାହାଡ ପୂର୍ବ ପାର୍ଶ୍ୱ,
ଉପର ଅଂଶରେ ରହିଛି ବୌଦ୍ଧ ବିହାରର
ମନୋରମ ସ୍ଥାପତ୍ୟ କଳା, ଧ୍ୟାନମୁଦ୍ରାରେ
ବୁଦ୍ଧ ମୂର୍ତ୍ତି, ଉପାସନା ଓ ଅଧ୍ୟୟନ ସ୍ଥଳ ।
ହୀରକ ତ୍ରିଭୁଜର ତିନି ପାହାଡ଼କୁ ମିଶାଇ
ଗଢି ଉଠିଥିବା " ପୁଷ୍ପଗିରି ମହାବିହାର "।
ପର୍ଯ୍ୟଟନ କେନ୍ଦ୍ର ଘୋଷଣା ପରେ ବିକଶିତ
ହୋଇ ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ।
ସର୍ବପ୍ରାଚୀନ 'ପୁଷ୍ପଗିରି' ଥିଲା ବୌଦ୍ଧଧର୍ମର
ପ୍ରଚାର ଓ ଉଚ୍ଚଶିକ୍ଷାର ମୁଖ୍ୟ ପ୍ରାଣକେନ୍ଦ୍ର !!
ବୌଦ୍ଧ ସନ୍ନ୍ୟାସୀ କରୁଥିଲେ ତନ୍ତ୍ର ସାଧନ ।
କଳିଙ୍ଗଯୁଦ୍ଧ ପରେ ସମ୍ରାଟ ଅଶୋକ ଏଠୁ
ନେଇ ଯାଇଥିଲେ କେତେକ ଶିଳା ସ୍ତମ୍ଭ।
ଏମିତି ସରିନି ଇତିହାସରୁ ତଥ୍ୟ ଖୋଜା
ବାକି ରହିଛି ପ୍ରତ୍ନତାତ୍ତ୍ବିକ ଖନନ କାର୍ଯ୍ୟ,
ଲୁଚି ରହିଛି ଅନେକ ସୂଚନା ଓ ରହସ୍ୟ ।
ଖନନ ବେଳେ ମିଳିଥିବା ବୁଦ୍ଧଦେବଙ୍କ
ଦେହାବଶେଷ ଫରୁଆ ବଢାଇଛି ଜିଜ୍ଞାସା।
ହୀରକ ତ୍ରିଭୁଜର କୀର୍ତ୍ତିରାଜି, ବୌଦ୍ଧ ମଠ
ଓ ମନ୍ଦିର ଆଜି ବି ଝୁରୁଛି ହଜି ଯାଇଥିବା
ଦୂର ଅତୀତର ସ୍ମୃତି, ଗର୍ବଗୌରବ ଗାଥା,
ଯେଉଁ ମାଟି ଦିନେ ବୁଣୁଥିଲା କରୁଣା, ଧର୍ମ,
ପ୍ରଜ୍ଞା, ଆଲୋକିତ ନିର୍ବାଣ ମାର୍ଗର ବାର୍ତ୍ତା ।
*******