STORYMIRROR

Bijaya Kumar Swain

Inspirational

4.2  

Bijaya Kumar Swain

Inspirational

କହଇ ମନ ଆରେ

କହଇ ମନ ଆରେ

2 mins
552


(କ ବ୍ୟଞ୍ଜନ ବର୍ଣ୍ଣ ଠାରୁ ଲ ପର୍ଯ୍ୟନ୍ତ)


କହଇ ମନ ଆରେ ମୋ ବୋଲ କର

କଳା ଧନରେ ମନ ନ ବଳୁ ତୋର।


ଖଟି ଖାଇଲେ ହେବୁ ଜଗତଜିତା

ଖର ବଚନ ବାବୁ ସଭିଙ୍କୁ ପିତା।


ଗଣ୍ଠି ଧନ କରିଥା କର୍ମକୁ ତୋର

ଗରଳ ସମ ଅଟେ ଏହି ସଂସାର।


ଘାତ ପ୍ରତିଘାତରେ ଗଢା ଜୀବନ

ଘଟଣା ଦୁର୍ଘଟଣା ଆସଇ ଜାଣ।


ଚଳିବୁ ସହି ସବୁ ନ ହୋଇ ଦୁଃଖୀ

ଚନ୍ଦନ ସମ ବାସ ବିତରି ସୁଖୀ।


ଛନ୍ଦ କପଟ କେବେ କରିବୁ ନାହିଁ

ଛବି ସମାନ ସବୁ ଯିବ ମିଳାଇ।


ଜଗତେ ଗୁରୁ ପଦ ଅଟଇ ଶ୍ରେଷ୍ଠ

ଜପିଲେ ସେ ନାମକୁ ହଟିବ କଷ୍ଟ।


ଝରାଇ ନୟନରୁ ଭକତି ଜଳ

ଝାରିବ ବିଭୁ କୃପା ମଥାରେ ତୋର।


ଟାଣ କରି ଧରିଥା ହରି ପାଦକୁ

ଟାଳି ଦେବେ ବିପତ୍ତି ଭଜିଲେ ତାଙ୍କୁ।


ଠକିବୁ ନାହିଁ କେବେ କାହାକୁ ତୁହି

ଠକିଲେ ଥକି ଯିବୁ ନ ବୁଝୁ କାହିଁ।


ଡରିଥା ଅଧର୍ମରେ ପାପ କର୍ମ ରେ

ଡାକିଲେ ହରିଙ୍କି ତୁ ରଖିବେ ତୋରେ।


ଢମ କଥାରେ ମନ ବଳାଅ ନାହିଁ

ଢ଼ମ ଗପିଲା ବାଲା ରହିବେ ନାହିଁ।


ତମ ଗୁଣକୁ ତେଜି ଚଳ ସତ୍ୟରେ

ତପ ସାଧିଲେ ସୁଖ ମିଳିବ ତୋରେ।


ଥକି ପଡ଼ିଲେ ପଥେ ଭଜ ଶ୍ରୀ ହରି

ଥିର କରିବେ ତୋର ଜୀବନ ତରୀ।


ଦରିଆ ସମ ଅଟେ ଏହି ସଂସାର

ଦୀନବନ୍ଧୁ ଜପିଲେ ହୋଇବୁ ପାର।


ଧିକ ଜୀବନ ତାର ଏହି ଧରାରେ

ଧରି ନାହିଁ ଯେ ହରି ନାମକୁ ଥରେ।


ନ କର ଲୋଭ କେବେ ପର ଧନରେ

ନିନ୍ଦା ହୋଇବ ଯିଏ ସେ ପଥ ଧରେ।


ପାପ କର୍ମକୁ ତେଜି ପୂଣ୍ୟ ପଥରେ

ଚାଲିଲେ ଅରଜିବୁ ପୂଣ୍ୟ ଅଚିରେ।


ପାଣି ଫୋଟକା ପ୍ରାଣ ମିଳାଇ ଯିବ

ପରମାନନ୍ଦ ତୋତେ ସାହା ହୋଇବ।


ବାଟ ହୁଡ଼ି ଅବାଟେ କେବେ ନଯିବୁ

ବାଟରେ ଚାଲିଲେ ତୁ ଶତ୍ରୁ ଜିତିବୁ।


ଭାଇ ବନ୍ଧୁ କୁଟୁମ୍ବ କେ ନୁହେଁ ତୋର

ଭବେ ଗୋବିନ୍ଦ ନାମ ଅଟଇ ସାର।


ମନ ସ୍ୱଭାବେ ଅଟେ ଅତି ଚଞ୍ଚଳ

ମତିକୁ ସ୍ଥିର କଲେ ମିଳେ ସୁଫଳ।


ଯତନ କରି ଦେହ ସଜାଉ ତୁହି

ଯଉବନ ତୋହର ରହିବ ନାହିଁ।


ରାମ ନାମକୁ ଗଣ୍ଠି ଧନ କରିଥା

ରଙ୍କ ସମାନ ସେହି ପଦ ଭଜୁଥା।


ଶୁଭ ପଥରେ ବିଭୁ ସହାୟ ହେବେ

ଶିର ପରେ ଆଶିଷ ଅଜାଡ଼ି ଦେବେ।


ଷଡ ରିପୁ କବଳେ ପଡ଼ିବୁ ନାହିଁ

ଶରଣ ପଶ ହରି ପୟରେ ଯାଇ।


ସତ୍ୟ ପଥରେ ସଦା ଚାଲିଲେ ମନ

ସ୍ଵୟଂ ଲଭିବୁ ବିଭୁ ପଦ ଦର୍ଶନ।


ହରି ନାମକୁ ଗଣ୍ଠି କରିଥା ତୁହି

ହରଣ ହେବ ଦୁଃଖ ଜାଣରେ ବାଇ।


କ୍ଷଣ କ୍ଷଣକେ ମନ ହୁଏ ଅଥୟ

କ୍ଷମା ମାଗିଲେ ସର୍ବ ହୋଇବ ଥୟ।


ଯମ ବୁଝେନା କଞ୍ଚା ପାଚିଲା ଭାବ

ଯାଆ ନି ଅବାଟରେ ଧର୍ମକୁ ଭାବ।


ଲାଭ ଅଛିରେ ବାବୁ ହରି ଭଜନେ

ଲଭ ଶ୍ରୀ ହରି କୃପା ଥାଇ ଜୀବନେ।



Rate this content
Log in

Similar oriya poem from Inspirational