ପାର୍ଥୀବ
ପାର୍ଥୀବ
ମୋର ଆଖି ନାହିଁ,
ମୁଁ ପଚାରେ ଆଖି ଥିବା ସଭିଁଙ୍କୁ
ଯିଏ ଯିଏ ଯାଇ ଆସନ୍ତି ବନାନୀ କୋଳକୁ
" କଣ ସବୁ ଦେଖିଲ? କୁହନା ମତେ ବି !"
"ସେମିତି କିଛି ଖାସ୍ ନାହିଁ "
କହି ଆଡେଇ ଯାନ୍ତି ସେମାନେ ମତେ
ବୋଧେ ଭାବନ୍ତି
ନ ଦେଖି କଣ ଭଲା ବୁଝିବ ଇଏ ।
ମୁଁ ଭାବେ, " ସବୁ କ'ଣ ଦେଖି ହୁଏ !"
ହୁଅନ୍ତା ଯଦି ସବୁ ଦେଖି _ବୁଝି
ତେବେ ଚକ୍ରବ୍ଯୁହରେ ଏକା ଅଭିମନ୍ଯୁ କାହିଁକି !
ମୁଁ ମନେ ମନେ ହସେ
କେମିତି କିଛି ଖାସ୍ ନଥିବ ଯେ ,
ସାରା ଜଙ୍ଗଲରେ !
ଥିବ ତ କୋମଳ ଘାସର ଗାଲିଚା ନା,
କୃତ୍ରିମ ଘାସର ଅମଳିନ ସବୁଜିମା
ଆଉ ମୁଲାୟମ ପତ୍ର ର ଢେଉ ଅବା
ନିର୍ଜୀବ ପତ୍ର ପରି ଦିଶୁଥିବା ପତ୍ର ।
ଥିବ ବି ଗୀତ ଗାଉଥିବା ଚଢେଇ ମାନଙ୍କ ମେଳା
ଆଉ ବାଟୁଳି ବାଜିଥିବା ଛୋଟା ଚଢେଇ ବି ।
ଆଉ ବି ଥିବ କେତେ ରଙ୍ଗର ଫୁଲ ।
ନ ଥିବ ବି କେମିତି
ଝଲମଲ ଖରା ଛୁଆଁ ଚିକ୍ ଚିକ୍ ନିର୍ଝରଣୀ
ଜହ୍ନର ଆଇନା ସାଜୁଥିବା ପଦ୍ମ ପୋଖରୀ
ଥିବେ ବି ତ କୁନି କୁନି ପାଦର ଶଶଶାବକ ମାନେ।
ଆଉ ତାକୁ ଛକିଥିବା କିଛି ନୃଶଂସ ନଖଦାନ୍ତ
ଛଦ୍ମବେଶୀ କାକ୍ଟସ।
ଏଇତ ମୁଁ ଖାଲି ମୋ ଆଙ୍ଗୁଳି ସନ୍ଧି ଦେଇ
ମାଟିକୁ ଖସିପଡୁଥିବା ବର୍ଷା ,
ମୋ ଗାଲକୁ ଭିଜଉଥିବା ଆବେଗଭରା
କାକରର ଚିଠି କୁ
ଏମିତି ଅନୁଭବେ ଯେମିତି ଏମାନେ
ଖାଲି ମୋ ପାଇଁ ହସନ୍ତି ।
ପିଠି କରି ଠିଆ ହବାକୁ ପଡେ ଯାହା
ମୁଁ କଣ ଏତେ ଅବୁଝା !
ମୁଁ ପତ୍ର କୁ ଛୁଇଁ ବସନ୍ତର ସ୍ପନ୍ଦନ ଶୁଣେ,
ଉଡିଯାଉଥିବା ଚଢେଇର ଦିଗ ବାରେ,
କଣ୍ଟା ର ଫଟ୍ କି ପାତଳେ
ଫୁଟିରିବାକୁ ଆଦରେ,
ଚୁଚୁମିନେଇ ଅଧରେ
କହିପାରେ ଏ ଗଛ
କେତେ ସହସ୍ର ବର୍ଷର ।
ଆଉ ସମସ୍ତେ କୁହନ୍ତି,
" ହେଃ ସେପଟେ ସେମିତି କିଛି ଖାସ୍ ନାହିଁ ମ।"
ମିଛ , ସମସ୍ତେ ତ କୁହନ୍ତି ନିଜକୁ ଛାଡି ଆଉ ସବୁ ମିଛ ।
ହସ ଲାଖେ ଓଠ କୋଣକୁ ଆଉଜି ଆପେ,
ହୋଇପାରେ ଆଖି ଥିବା ଲୋକେ ବୋଧେ
ଦେଖିପାରନ୍ତି କମ ।