STORYMIRROR

Bidyadhar Mantry

Drama Classics Inspirational

4  

Bidyadhar Mantry

Drama Classics Inspirational

କାଳ ଛଞ୍ଚାଣ

କାଳ ଛଞ୍ଚାଣ

1 min
116


ମୃତ୍ୟୁ ଚିରନ୍ତନ ସତ୍ୟ ପ୍ରମାଣିତ

କାଳ ଛଞ୍ଚାଣ ରୂପରେ

କେଉଁ ମୁହୂର୍ତ୍ତରେ ଝାମ୍ପି ନେବ ଆସି

ଜୀବନ ତା' କବଳରେ

ଚାହିଁ ଅଛି କାଳ ରୂପକ ଛଞ୍ଚାଣ

ମଣିଷର ହାବ-ଭାବ

ସବୁ ଜାଣି ଶୁଣି ମଣିଷ ହୃଦୟେ

ତଥାପି ନିଷ୍ଠୁର ଭାବ

ଜୀବ ହତ୍ୟା ସହ ଅନୈତିକ କାମ

କରୁ ଅଛି ଅହରହ 

ନିଜ ସ୍ବାର୍ଥ ପାଇଁ କେତେ ଜୀବନର

ଯାତ୍ରା ପଥ ଦୁର୍ବିସହ

ଜନ୍ମ ମାତ୍ରେ ମୃତ୍ୟୁ ଅଟେ ଅନିବାର୍ଯ୍ୟ

ଜୀବ ଯାଏ କାଳ ବଳେ 

ମୃତ୍ୟୁ ଉଭା ହୁଏ ଛଞ୍ଚାଣ ରୂପରେ 

ଘୁରୁଅଛି ସବୁ ବେଳେ

ଧନୀ ଜ୍ଞାନୀ ଗୁଣୀ ନେତା ରାଜା ପ୍ରଜା

ପ୍ରଭେଦ ବି ନାହିଁ ତିଳେ 

ମୃତ୍ୟୁ ନିକଟରେ ସଭିଏଁ ସମାନ 

ଆବୋରି ନିଏ ସେ କୋଳେ ।


ତିଳେ ମାତ୍ର ଡର ନାହିଁ ମୃତ୍ୟୁ ପ୍ରତି 

ମୋହ ଭିତରେ ଜୀବନ

ଦୁର୍ଲ୍ଲଭ ଜୀବନ ପ୍ରାପ୍ତ ହୋଇ ନର

ପ୍ରାଚୁର୍ଯ୍ୟେ ବିତାଏ ଦିନ

ଭଜନ କୀର୍ତ୍ତନ ସହ ହରି ନାମ

ପାଶୋରି ଯାଏ ମନରୁ

ଅବା ସମୟର ଅଭାବ ରହିଛି 

ସଦା ବ୍ୟସ୍ତ କାରଣରୁ

ଧନ ଓ ପଦବୀ ଅର୍ଜନ ଉଦ୍ୟେଶ୍ୟେ 

ଅଧର୍ମ କୁକର୍ମ ପଥେ

ଅମୁଲ୍ୟ ଜୀବନ ହୁଏ ନିୟୋଜିତ

ପାପ ଓ ପଙ୍କିଳ ଚିତ୍ତେ ।


ମୃତ୍ୟୁ ଉପରାନ୍ତେ ଯଶ କୀର୍ତ୍ତି ମାତ୍ର

ରହିବ ସଦା ଅକ୍ଷୁର୍ଣ୍ଣ 

ଦାନ ସେବା ଓ ପରୋପକାର କର୍ମ

ଧରାରେ ହେବ ସ୍ମରଣ

ଆସିବା ଓ ଯିବା ବେଳରେ ଉଲଗ୍ନ

ସ୍ଥିତି ଜାଣିଛି ମଣିଷ

ତଥାପି ମନରେ ହିଂସା ଈର୍ଷା ଦ୍ୱେଷ

ହେଉଅଛି ଅମଣିଷ ।


ହୃଦୟ ରେ ଦୟା ଧର୍ମ ଦାନ ପୁଣ୍ୟ

ଭାବନା ସର୍ବଦା ରହୁ

ଝାମ୍ପୀ ନେଇ ଯିବା ଆଗରୁ ଛଞ୍ଚାଣ 

ସତ୍ୟ ପଥେ ମନ ଯାଉ

ମୃତ୍ୟୁ କୋଳେ ଚିରନିଦ୍ରା ର ଆଗରୁ

ଦାନ ପୁଣ୍ୟ ହେଉ ବ୍ରତ 

ହୃଦୟରେ କାଳ ଛଞ୍ଚାଣ ର ଭୟ 

ରହି ଥାଉ ଉଜ୍ଜୀବିତ

ସେ କାଳ ଛଞ୍ଚାଣ ସର୍ବଦା ଦାରୁଣ

ଝାମ୍ପି ନେବା ତା'ର କାମ

ଝାମ୍ପି ନେଲା ବେଳେ ଉଚ୍ଚାରଣ ହେଉ

ପରଂବ୍ରହ୍ମଙ୍କର ନାମ‌ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama